କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ ହୋଇଛି। ଝାଡ଼ଖଣ୍ଡର ବାସିନ୍ଦା ନାଫିସ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୩୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁସାରେ, ଗିରଫ ପରେ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପାଇଁ ମହମ୍ମଦ ନାଫିସକୁ ଆଜି ସକାଳ ପ୍ରାୟ ୫ଟାରେ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲକୁ ନିଆଯାଇଥିଲା। ସେଠାରେ ପୂର୍ବରୁ ଲୁଚାଇ ରଖିଥିବା ଏକ ଦେଶୀ ନିର୍ମିତ ବନ୍ଧୁକ ବାହାର କରି ସେ ପୁଲିସ ଦଳ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି।
ଏହାପରେ ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇଥିଲା। ପୁଲିସର ଗୁଳିରେ ନାଫିସର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ତାଙ୍କୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପରେ ଉନ୍ନତ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରୁ ଅଭିଯୁକ୍ତଙ୍କ ନିକଟରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାକୁ ନେଇ ଚମ୍ପୁଆ ଥାନାରେ BNSର ଧାରା 109(1), 296 ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା 25/27 ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପୁଲିସ ବର୍ତ୍ତମାନ ମହମ୍ମଦ ନାଫିସର ଅନ୍ୟ ସହଯୋଗୀ, ଚୋରି ଚକ୍ର ଏବଂ ଆନ୍ତଃରାଜ୍ୟ ଅପରାଧିକ ନେଟୱାର୍କର ସନ୍ଧାନରେ ତଦନ୍ତ ଜାରି ରଖିଛି।


