ନୟାଗଡ଼: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଡାଳିଆମଡ଼ା ଗାଁରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବକ ଅଭିମନ୍ୟୁ ସାହୁଙ୍କୁ ଭିଡ଼ ହିଂସାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ତାଙ୍କ ପରିବାର ଲୋକେ ଆଣିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ନେଇ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଅଭିମନ୍ୟୁ ସାହୁ ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରଦିନ ସୋମବାର ଗାଁ ନିକଟସ୍ଥ ନଈ ପଠାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ପରିବାରକୁ କିଛିଦିନ ତଳେ ଗାଁରୁ ବାସନ୍ଦ କରଯାଇଥିଲା । ଏବଂ ଗାଁରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସାମିଲ କରାଯାଇନଥିଲା । ଏହି କାରଣରୁ ଅଭିମନ୍ୟୁ ଉତକ୍ଷିପ୍ତ ହୋଇ ଗାଁ ଲୋକଙ୍କୁ ଗାଳିଗୁଲୁଜ କରିଥିଲେ । ଏହାକୁ ନେଇ ଏକ ବୈଠକ ହୋଇଥିଲା । ତେବେ ଏହି କାରଣରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଏବଂ ପରେ ମୃତଦେହକୁ ନଈରେ ଭସାଇ ଦିଆଯାଇଥିବା ଅଭିଯୋଗ ତାଙ୍କ ପରିବାର କରିଛନ୍ତି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ସମସ୍ତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ମାମଲାର ତଦନ୍ତ ଆଗକୁ ବଢ଼ାଯାଉଛି।
ଏହି ଘଟଣା ପରେ ଡାଳିଆମଡ଼ା ଗାଁରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୁଲିସ ତଦନ୍ତ ଆରମ୍ଭ ହେବା ପରେ ଗାଁର ଅନେକ ପୁରୁଷ ସଦସ୍ୟ ଘର ଛାଡ଼ି ଚାଲିଯାଇଛନ୍ତି। ପୁଲିସ ଘଟଣାର ପ୍ରକୃତ କାରଣ ଓ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି।


