ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି (ଓଏଫଏସଡିଏସ୍)ର ୩୮ତମ ପରିଚାଳନା ପରିଷଦ ବୈଠକ ବୁଧବାର ଭୁବନେଶ୍ୱର ସ୍ଥିତ ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପରିଚାଳନା ପରିଷଦର ସଭାପତି ଭାସ୍କର ଜ୍ୟୋତି ଶର୍ମା ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ୍), ଓଏଫଏସଡିପିର ପ୍ରକଳ୍ପ ନିର୍ଦ୍ଦେଶକ ଜି. ରାଜେଶ ପ୍ରାକ ସୂଚନା ପ୍ରଦାନ କରିଥିଲେ।
ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (ଜାଇକା)ର ସହାୟତାପ୍ରାପ୍ତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-ଦ୍ୱିତୀୟ ପର୍ଯ୍ୟାୟ (ଓଏଫଏସଡିପି-୨ୟ ପର୍ଯ୍ୟାୟ), ଆମ ଜଙ୍ଗଲ ଯୋଜନା, ଓଏଫଏସଡିଏସ୍–ଓମ୍ବାଡସି ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ଏହାସହ ଜଙ୍ଗଲର ସ୍ଥାୟୀ ପରିଚାଳନା ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟଙ୍କ ଜୀବିକା ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ବୈଠକରେ ଓଏଫଏସଡିପି-୨ୟ ପର୍ଯ୍ୟାୟର କାର୍ଯ୍ୟକାଳକୁ କୌଣସି ଅତିରିକ୍ତ ବ୍ୟୟ ବିନା ୨୦୨୭ରୁ ୨୦୩୦ ପର୍ଯ୍ୟନ୍ତ ତିନି ବର୍ଷ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହାଦ୍ୱାରା ପ୍ରକଳ୍ପର କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଓ ଦୀର୍ଘମିଆଦି ସ୍ଥାୟିତ୍ୱ ସୁନିଶ୍ଚିତ ହେବ। ଏହି ପ୍ରସ୍ତାବ ପାଇଁ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଅନୁମୋଦନ ନିଆଯିବ।
ସେହିପରି ଫାର୍ମ ଫରେଷ୍ଟ୍ରି କାର୍ବନ କ୍ରେଡିଟ୍ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ୧୨ଟି ବନଖଣ୍ଡର ୨,୭୦୦ରୁ ଅଧିକ ଚାଷୀଙ୍କୁ ୧,୮୦୦ ଏକରରୁ ଅଧିକ ଜମିରେ କାର୍ବନ କ୍ରେଡିଟ୍ ବ୍ୟବସ୍ଥା ସହ ଯୋଡ଼ାଯାଇଛି। ଏହା ମାଧ୍ୟମରେ ସ୍ଥାୟୀ କୃଷି ବନୀକରଣକୁ ପ୍ରୋତ୍ସାହନ ମିଳିବା ସହ ଚାଷୀଙ୍କ ଆୟ ବୃଦ୍ଧି ଏବଂ ପରିବେଶ ସୁରକ୍ଷାରେ ସହାୟକ ହେବ।
ଓଏଫଏସଡିପି-୨ୟ ପର୍ଯ୍ୟାୟ ଏବଂ ଆମ ଜଙ୍ଗଲ ଯୋଜନାର କାର୍ଯ୍ୟକ୍ରମକୁ ଭୋପାଳସ୍ଥିତ ଭାରତୀୟ ବନ ପରିଚାଳନା ପ୍ରତିଷ୍ଠାନ ଦ୍ୱାରା କରାଯାଉଥିବା ତୃତୀୟ ପକ୍ଷ ମୂଲ୍ୟାଙ୍କନର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।
ପ୍ରକଳ୍ପର କାର୍ଯ୍ୟକାଳ ଶେଷ ପରେ ମଧ୍ୟ ବନାଞ୍ଚଳ ଅଧିବାସୀଙ୍କ ଜୀବିକା ବିକାଶକୁ ନିରନ୍ତର ସହାୟତା ଯୋଗାଇବା ପାଇଁ ଜୀବିକା ସମ୍ବଳ କେନ୍ଦ୍ର ବା ଏଲଆରସି ଗଠନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହି କେନ୍ଦ୍ର ମାଧ୍ୟମରେ ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବନଜାତ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରାଯିବା ସହ ବନାଞ୍ଚଳ ଅଧିବାସୀଙ୍କୁ ସ୍ଥାୟୀ ଭାବେ ପ୍ରଯୁକ୍ତିଗତ ଓ ବ୍ୟବସାୟିକ ସହାୟତା ପ୍ରଦାନ କରାଯିବ।
ବୈଠକରେ ଜଳବାୟୁ ଅନୁକୂଳ ବନ ପରିଚାଳନା, ଗୋଷ୍ଠୀ ସହଭାଗିତାରେ ପ୍ରାକୃତିକ ସମ୍ପଦର ପରିଚାଳନା ଏବଂ ସ୍ଥାୟୀ ଜୀବିକା ବିକାଶ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଆଲୋଚନା କରାଯାଇଥିଲା।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେସନ, ପିସିସିଏଫ୍ (ବନ୍ୟପ୍ରାଣୀ) ଙ୍କ ପ୍ରତିନିଧି ମନୋଜ ନାୟର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସ୍ୱୟମ୍ ମଲ୍ଲିକ, ଓଏଫଏସଡିଏସ୍ର ଯୁଗ୍ମ ପ୍ରକଳ୍ପ ନିର୍ଦ୍ଦେଶିକା ରିଙ୍କୁ କୁମାରୀଙ୍କ ସମେତ ଓଡ଼ିଶା ଜୀବିକା ମିଶନର ଉପ-ନିର୍ଦ୍ଦେଶିକା ବବିତା ମହାପାତ୍ର, ଓଏଫଏସଡିପି-୨ୟ ପର୍ଯ୍ୟାୟର ସହଯୋଗୀ ଏନଜିଓମାନଙ୍କ ପ୍ରତିନିଧି ପ୍ରସନ୍ନ କୁମାର ବେହେରା, ନିଉଜ ସଂସ୍ଥା ତରଫରୁ ଏହି ବୈଠକରେ ଉପସ୍ଥିତ ଥିଲେ।


