ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଯାତ୍ରୀବାହୀ ଟ୍ରେନରେ ଭୁବନେଶ୍ୱର ଠାରୁ ରାୟଗଡ଼ା ଯିବା ବେଳେ କେଦାରନାଥ ଶବର ନାମକ ଜଣେ ବ୍ୟକ୍ତିଙ୍କର କିଛି ସ୍ବର୍ଣ୍ଣ ଅଳଙ୍କାର ଓ ଅନ୍ୟାନ୍ୟ କିଛି ମୁଲ୍ୟବାନ ସାମଗ୍ରୀ ଥିବା ଏକ ବ୍ୟାଗ୍ ଚୋରି ହେଇଥିଲା। ଏନେଇ ସେ ବ୍ରହ୍ମପୁର ଜିଆରପି ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଗ୍ରହଣ କରି ପୋଲିସ ଟିମ୍ ତଦନ୍ତ ଚଳାଇ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି କିଛି ଅଭିଯୁକ୍ତକୁ ଚିହ୍ନଟ କରିପାରିଥିଲେ। ପରବର୍ତ୍ତୀ ସମୟରେ ଚିହ୍ନଟ ହୋଇଥିବା ସୁରଜ୍ କୁମାର ପ୍ରସାଦକୁ ଜଟଣୀ ଲୋକ କଲୋନୀରୁ ଉଠାଇ ଆଣି ଥାନାରେ ଜେରା କରାଯାଇଥିଲା। ପରେ ଅନ୍ୟ ଜଣେ ଅଭିଯୁକ୍ତ ତଥା ଚୋରି ଅଳଙ୍କାର କ୍ରୟ କରିଥିବା ସଞ୍ଜୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ୬୪ ଗ୍ରାମର ସ୍ବର୍ଣ୍ଣ ଅଳଙ୍କାର ଜବତ କରାଯାଇଥିଲା।
ଉଭୟଙ୍କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏତଦବ୍ୟତୀତ ଏହି ଘଟଣାରେ ଆଉ କାହାର ସଂମ୍ପୃକ୍ତ ରହିଛି କି ନାହିଁ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ପ୍ରକାଶ କରିଛି।


