ଭୁବନେଶ୍ଵର: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନବନିର୍ମିତ ବ୍ରହ୍ମତାଳଧ୍ୱଜ ରଥରେ ରଥର ସିଂହାସନ, ପାରାଭାଡ଼ି ସମେତ ଅନ୍ୟାନ୍ୟ ପ୍ରମୁଖ କାଠ କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ବେଳେ ବର୍ତ୍ତମାନ ରଙ୍ଗ କାର୍ଯ୍ୟ ଜୋରଦାର ଚାଲିଛି। ନୂତନ ଭାବେ ନିର୍ମିତ ସାରଥୀ, ଚାରିଟି ଅଶ୍ୱ ଏବଂ ପାର୍ଶ୍ୱଦେବଦେବୀଙ୍କ ମୂର୍ତ୍ତିରେ ଚିତ୍ରକାର ସେବାୟତମାନେ ପାରମ୍ପରିକ ଶୈଳୀରେ ରଙ୍ଗ ଓ ଚିତ୍ରାଙ୍କନ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ନିଖୁଣ କାରିଗରୀ ରଥର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିବ। ପାରମ୍ପରିକ ଯନ୍ତ୍ରପାତି ଓ କାରିଗରୀ କୌଶଳ ମାଧ୍ୟମରେ ରଥ ନିର୍ମାଣ କରାଯାଉଛି। ତୁଳସୀକ୍ଷେତ୍ରରେ ରଥଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ, ଆଧ୍ୟାତ୍ମିକ ଉଲ୍ଲାସ ଓ ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଛି।


