ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଲଳିତ କଳା ଏକାଡେମୀରେ ଉଦ୍ଘାଟିତ ହୋଇଛି ଐତିହ୍ୟ କାହାଣୀ ବା ‘ହେରିଟେଜ୍ ଟେଲ୍ସ’ କଳା ପ୍ରଦର୍ଶନୀ। ଓଡ଼ିଶାର ପାରମ୍ପରିକ ଝୋଟି ଓ ଗଞ୍ଜାପା କଳାକୁ ପଟ୍ଟି, ସୂକ୍ଷ୍ମ ତସର ଏବଂ ଖଦି ସୂତାର ଶାଢ଼ୀରେ ଅତ୍ୟନ୍ତ ନିଖୁଣ ଓ ଆକର୍ଷଣୀୟ ଭାବେ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀରେ ସ୍ଥାନ ପାଇଥିବା ପ୍ରତ୍ୟେକ କଳାକୃତି ଓଡ଼ିଆ ପରମ୍ପରା, ଲୋକକଳା ଓ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ଜୀବନ୍ତ ରୂପରେ ଉପସ୍ଥାପନ କରୁଛି। ହ୍ୟାପିଆକ୍ସିସ୍ ଫାଉଣ୍ଡେସନ୍, ଉତ୍କଳ କଳା ଫାଉଣ୍ଡେସନ୍ ଏବଂ ଓଡ଼ିଶା ଶିଳ୍ପୀ ମହାସଂଘର ମିଳିତ ଆନୁକୂଳ୍ୟରେ ଆୟୋଜିତ ହୋଇଛି। ପ୍ରଦର୍ଶନୀର ଉଦଘାଟନ ଉତ୍ସବରେ ପଦ୍ମଶ୍ରୀ ବିନୋଦ କୁମାର ମହାରଣା ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଛନ୍ତି।
ପ୍ରଦର୍ଶନୀକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ବହୁ ସଂଖ୍ୟାରେ କଳାପ୍ରେମୀ ଓ ସାଧାରଣ ଦର୍ଶକ ପ୍ରଦର୍ଶନୀ ପରିଦର୍ଶନ କରି କଳାକୃତିଗୁଡ଼ିକୁ ଉପଭୋଗ କରୁଛନ୍ତି। ଏହି ଅଭିନବ ପ୍ରୟାସ ଓଡ଼ିଶାର ପାରମ୍ପରିକ କଳାକୁ ନୂତନ ପିଢ଼ି ଓ ବିଶ୍ୱ ଦରବାରରେ ଅଧିକ ପରିଚିତ କରାଇବାରେ ସହାୟକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ପାରମ୍ପରିକ କଳା ସହ ଆଧୁନିକ ସୃଜନଶୀଳତାର ଏହି ସୁନ୍ଦର ସମନ୍ୱୟ କଳାପ୍ରେମୀଙ୍କୁ ଏକ ନୂଆ ଅନୁଭୂତି ପ୍ରଦାନ କରୁଛି।


