ଭୁବନେଶ୍ବର: କ୍ୟୁଡେଙ୍ଗା ଟୀକା ୪ ପ୍ରକାରର ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଇ ଭେଙ୍କେଟ ରାଓ। ୪ରୁ ୬୦ ବର୍ଷ ବୟସ୍କର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯାଇପାରିବ। ଡେଙ୍ଗୁ ଆକ୍ରାନ୍ତ ହୋଇଥାନ୍ତୁ କିମ୍ବା ନହୋଇଥାନ୍ତୁ ସମସ୍ତେ ଏହି ଟୀକା ନେଇପାରିବେ। ଏଥିପାଇଁ କୌଣସି ପୂର୍ବ ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ଡାକ୍ତର ରାଓ କହିଛନ୍ତି। ୩ ମାସର ବ୍ୟବଧାନରେ ଦୁଇଟି ଟୀକା ଡୋଜ୍ ଦିଆଯିବ। ପ୍ରତ୍ୟେକ ଡୋଜ୍ରେ ରୋଗୀ ୦ ଦଶମିକ ୫ ମିଲିଲିଟର ଟୀକା ନେଇପାରିବେ। ଡିଇଏନ୍ଭି-୧, ୨, ୩, ଏବଂ ୪ ପ୍ରକାରର ଡେଙ୍ଗୁ ଭୂତାଣୁ ବିରୋଧରେ ଏହି ଟୀକା ବେଶ୍ ପ୍ରଭାବୀ ହେବ। ପୂର୍ବରୁ ୪୦ରୁ ଅଧିକ ଦେଶରେ କ୍ୟୁ ଡେଙ୍ଗା ଟୀକାକୁ ମଞ୍ଜୁରୀ ମିଳିସାରିଛି। ଓଡିଶା ସମେତ ସାରା ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପରେ ଏହି ଟୀକାକୁ ଡିସିଜିଆଇ ମଞ୍ଜୁରୀ ଦେଇଛି ବୋଲି ସେ କହିଛନ୍ତି।


