ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କଟକ, ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ।
ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଅଗଷ୍ଟ ୩, ସୋମବାର କଟକରେ ନବପ୍ରତିଷ୍ଠିତ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ।
ଅଗଷ୍ଟ ୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ପରେ ସେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ପହଞ୍ଚି ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାସହ ସେ ସେଠାରେ ଆଳତିରେ ମଧ୍ୟ ସାମିଲ ହେବେ।
ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୫ ତାରିଖରେ ଦିଲ୍ଲୀ ଫେରିଯିବେ। ତାଙ୍କ ଗସ୍ତକୁ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି।


