ଭୁବନେଶ୍ୱର: ଶିଳ୍ପ ଓ ନିବେଶ କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ନିବେଶ ଅଭିଯାନ ଶନିବାର ଶେଷ ହୋଇଛି। ଏହି ଅଭିଯାନରେ ଶିଳ୍ପ ଜଗତରୁ ମିଳିଛି ବିପୁଳ ସକାରାତ୍ମକ ପ୍ରତିକ୍ରିୟା।
ଦୁଇ ଦିନରେ ମୋଟ ୩୮ଟି ଏମ୍ଓୟୁ ସ୍ୱାକ୍ଷର ହୋଇଥିବା ବେଳେ ଏହା ଜରିଆରେ ଓଡ଼ିଶାକୁ ପ୍ରାୟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହା ସହିତ ପ୍ରାୟ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୬’ର ସଫଳତା ପରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ପ୍ରମୁଖ ଶିଳ୍ପପତି ଓ ନିବେଶକଙ୍କ ସହ ଓ୍ୱାନ୍-ଟୁ-ଓ୍ୱାନ୍ ବୈଠକ କରିଥିଲେ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା, ନିବେଶ ସୁଯୋଗ, ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟି ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।
ଏହାସହ ମୁଖ୍ୟମନ୍ତ୍ରୀ ନୋଏଡାସ୍ଥିତ ହାୟର କମ୍ପାନୀର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଏଭଳି ଏକ ଶିଳ୍ପ ପରିବେଶ ସୃଷ୍ଟି କରାଯାଉଛି, ଯେଉଁଠି ଶିଳ୍ପର ବିକାଶ ସହିତ ନିଯୁକ୍ତି ଓ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଗତି ମିଳିବ।
ସରକାରଙ୍କ ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆକର୍ଷଣ ନୁହେଁ। ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା, ଭାଲ୍ୟୁ ଆଡିଶନ ବଢ଼ାଇବା ଏବଂ ଓଡ଼ିଶାର ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଦିଲ୍ଲୀ-ଏନ୍ସିଆର୍ରେ ଆୟୋଜିତ ବିଭିନ୍ନ ରାଉଣ୍ଡ ଟେବୁଲ୍ ବୈଠକରେ ଓଡ଼ିଶାର ଶିଳ୍ପ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍ ସହଯୋଗରେ ଆୟୋଜିତ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ରାଉଣ୍ଡ ଟେବୁଲ୍ରେ ଉତ୍ପାଦନ, ଭିତ୍ତିଭୂମି, ଆନୁଷଙ୍ଗିକ ଶିଳ୍ପ ଓ ଯୋଗାଣ ଶୃଙ୍ଖଳକୁ ନେଇ ଆଲୋଚନା ହୋଇଥିଲା।
ସେହିପରି ନୋଏଡା ଆପାରେଲ୍ ଏକ୍ସପୋର୍ଟ କ୍ଲଷ୍ଟର ସହଯୋଗରେ ଟେକ୍ସଟାଇଲ୍ ଓ ପୋଷାକ ଶିଳ୍ପକୁ ନେଇ ଆୟୋଜିତ ବୈଠକରେ ଉତ୍ପାଦନ, ରପ୍ତାନି, ଦକ୍ଷ ମାନବସମ୍ବଳ ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅଭିଯାନରେ ସ୍ୱାକ୍ଷରିତ ୩୮ଟି ଏମ୍ଓୟୁ ଜରିଆରେ ୬୪,୭୦୩ କୋଟି ଟଙ୍କାର ନିବେଶ ସୁଯୋଗ ଓ ୪୬,୦୭୧ଟି ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଏହା ବ୍ୟତୀତ ୧,୬୮୯ କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ମିଳିଛି, ଯାହା ମାଧ୍ୟମରେ ଆଉ ୮,୦୬୪ଟି ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି।
ଏହି ଦୁଇ ଦିନରେ ଶିଳ୍ପ ଜଗତରୁ ମିଳିଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ଉତ୍ସାହଜନକ ବୋଲି କହିଛନ୍ତି।
ଦୁଇଦିନିଆ ନିବେଶ ଅଭିଯାନରେ ‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୬’ ରୋଡ୍ ଶୋ’ ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରକୁ ନେଇ ୪୬ଟି ଉଚ୍ଚସ୍ତରୀୟ ବୈଠକ ହୋଇଥିବା ବେଳେ ମୋଟ ୨୦୮ଟି ଆଲୋଚନା ହୋଇଛି।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଦିଲ୍ଲୀ-ଏନ୍ସିଆର୍ରେ ଶିଳ୍ପ ଜଗତରୁ ମିଳିଥିବା ପ୍ରତିକ୍ରିୟା ଓଡ଼ିଶାର ନିବେଶ ପରିବେଶ ପ୍ରତି ବଢ଼ୁଥିବା ବିଶ୍ୱାସର ପ୍ରତିଫଳନ। ନିବେଶକଙ୍କୁ ସୁବିଧା ପ୍ରଦାନ, କ୍ଷେତ୍ରଭିତ୍ତିକ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଓ ରାଜ୍ୟବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାରର ଫୋକସ୍ ରହିଛି।
ଦିଲ୍ଲୀ ନିବେଶ ଅଭିଯାନରୁ ମିଳିଥିବା ଏହି ପ୍ରତିଶ୍ରୁତି ଯଦି ଭୂମିସ୍ତରରେ ରୂପ ନିଏ, ତେବେ ଓଡ଼ିଶାର ମାନୁଫାକ୍ଚରିଂ, ଟେକ୍ସଟାଇଲ୍, ଫୁଡ୍ ପ୍ରୋସେସିଂ ଓ ଇଞ୍ଜିନିୟରିଂ କ୍ଷେତ୍ରକୁ ନୂଆ ଗତି ମିଳିବା ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିପାରେ।


