ଭୁବନେଶ୍ୱର: ଧାନ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ। ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜୀକରଣ କରିସାରିଛନ୍ତି।
ସେମାନଙ୍କ ମଧ୍ୟରୁ ୩ ହଜାର ୧୦୮ ଜଣ ଚାଷୀଙ୍କର କୃଷକ ପଞ୍ଜୀକରଣ ID ରହିଛି। ତେବେ କୃଷକ ପଞ୍ଜୀକରଣ ID ନଥିଲେ ମଧ୍ୟ ଚାଷୀମାନେ ପଞ୍ଜୀକରଣ କରିପାରିବେ। ଜମିର ପଟ୍ଟା ସହ ROR ଦାଖଲ କଲେ ଦୁଇ ଦିନ ମଧ୍ୟରେ କୃଷକ ID ମିଳିଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭାଗଚାଷୀଙ୍କ ପଞ୍ଜୀକରଣକୁ ନେଇ ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଜମି ମାଲିକଙ୍କ ଉପସ୍ଥିତି ନଥିଲେ ମଧ୍ୟ ଆବଶ୍ୟକ କାଗଜପତ୍ର ଦାଖଲ କରି ଭାଗଚାଷୀ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସରକାର ଏକ ଆପ୍ଲିକେସନ୍ ଆଣୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଧାନ ପଞ୍ଜୀକରଣ ପାଇଁ ଅଗଷ୍ଟ ୩୧ ତାରିଖ ଶେଷ ସମୟସୀମା ରହିଛି। ଆବଶ୍ୟକ ହେଲେ ପଞ୍ଜୀକରଣ ଅବଧି ବଢ଼ାଯାଇପାରେ ବୋଲି ମଧ୍ୟ ସରକାର କହିଛନ୍ତି। ତେଣୁ ପଞ୍ଜୀକରଣ ନେଇ ଚାଷୀମାନେ ଅଯଥା ଚିନ୍ତା ନକରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଅନ୍ୟପଟେ ଧାନ ପଞ୍ଜୀକରଣକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ସରକାର ଭିତ୍ତିହୀନ ବୋଲି କହିଛନ୍ତି। ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କଠାରୁ ସରକାର ଧାନ ସଂଗ୍ରହ କରିବେ ବୋଲି ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ସେ କହିଛନ୍ତି।


