ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିଛି। ଫଳରେ ଜଳସ୍ତର ବଢ଼ିବାରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏବେ ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟିକୁ ମିଶାଇ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ରାତି ୯ଟା ୩୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୩ ଫୁଟ୍ ରହିଥିଲା। ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୯୧ ହଜାର ୦୧୧ ଘନଫୁଟ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ମୋଟ ୨ ଲକ୍ଷ ୧୫ ହଜାର ୦୮୨ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।
ସେଥିମଧ୍ୟରୁ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୨ ହଜାର ୧୪୮ ଘନଫୁଟ୍ ଜଳ ନିଷ୍କାସନ ହେଉଛି। ଏହା ବ୍ୟତୀତ ପାୱାର ଚ୍ୟାନେଲ, ବରଗଡ଼, ଶାସନ ଓ ସମ୍ବଲପୁର କେନାଲ ସମେତ ଶିଳ୍ପ ବ୍ୟବହାର ପାଇଁ ମଧ୍ୟ ଜଳ ଛଡ଼ାଯାଉଛି।
ଗତ ୨୪ ଘଣ୍ଟାରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୩୫.୯୫ ମିଲିମିଟର ଏବଂ ତଳମୁଣ୍ଡରେ ୧୬.୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରର ଜଳସ୍ତର ଓ ନିଷ୍କାସନ ଉପରେ ନଜର ରଖାଯାଇଛି।


