ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିପିରିସିଙ୍ଘା ନିକଟ ଲିଙ୍ଗରା ନାଳରେ ଘଟିଛି ଅଘଟଣ। ଜଳାଭିଷେକ ପାଇଁ ନାଳରୁ ପାଣି ଆଣିବାକୁ ଯାଇଥିବା ବେଳେ ଦୁଇଜଣ କାଉଡ଼ିଆ ପାଣି ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଦୁଇ କାଉଡ଼ିଆ ଲିଙ୍ଗରା ନାଳକୁ ଜଳ ସଂଗ୍ରହ କରିବା ପାଇଁ ଯାଇଥିଲେ। ତେବେ ନାଳରେ ପ୍ରବଳ ଜଳସ୍ରୋତ ଥିବାରୁ ସେମାନେ ଭାରସାମ୍ୟ ହରାଇ ପାଣିରେ ଭାସିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏହି ସମୟରେ ଜଣେ କାଉଡ଼ିଆଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ତୁରନ୍ତ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟଜଣ କାଉଡ଼ିଆଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ଟିମ୍ ପକ୍ଷରୁ ନାଳରେ ଉଦ୍ଧାର ଅଭିଯାନ ଜାରି ରହିଛି।
ପ୍ରବଳ ଜଳସ୍ରୋତ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ଉପୁଜୁଥିବା ବେଳେ ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ସମସ୍ତ ପ୍ରୟାସ ଜାରି ରଖିଛି।


