ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ପାତ୍ରପଡ଼ା ଶନି ମନ୍ଦିର ସମ୍ମୁଖ ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଯୁବକଜଣକ ବାଇକ୍ ଯୋଗେ ଖୋର୍ଦ୍ଧା ପଟୁ ଭୁବନେଶ୍ବର ଆସୁଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ବସ୍ ତାଙ୍କ ବାଇକ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଯୁବକଜଣକ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାର କାରଣ ଓ ବସ୍ଟି ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି।


