ନୂଆଦିଲ୍ଲୀ: FCRA ସଂଶୋଧନ ବିଲ୍ କୁ ଯୁଗ୍ମ ସଂସଦୀୟ କମିଟି (JPC) ନିକଟକୁ ପଠାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳଗୁଡ଼ିକ ଏହି ବିଲ୍କୁ ବିରୋଧ କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ବିଶେଷକରି ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ FCRA ବିଲ୍କୁ ଲଗାତାର ବିରୋଧ କରିଆସିଛନ୍ତି। କଂଗ୍ରେସ ନେତା ପି. ଚିଦମ୍ବରମ୍ FCRAକୁ ବିରୋଧ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ବିଲ୍ ପ୍ରତ୍ୟାହାର କରିବା ଉଚିତ।
ପି. ଚିଦମ୍ବରମ୍ କହିଛନ୍ତି ଯେ, “ସରକାର FCRA ବିଲ୍କୁ JPC (ଯୁଗ୍ମ ସଂସଦୀୟ କମିଟି)କୁ ପଠାଇବା ପରିବର୍ତ୍ତେ ସିଧାସଳଖ ପ୍ରତ୍ୟାହାର କରିବା ଉଚିତ। ତଥାପି, ଆଲୋଚନା ବିନା ଏହାକୁ ପାସ୍ କରିବା ଅପେକ୍ଷା ଏହାକୁ JPCକୁ ପଠାଇବା ଭଲ। କଂଗ୍ରେସ ଦଳ JPCରେ ଏହି ବିଲ୍କୁ ବିରୋଧ କରିବ ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଚେଷ୍ଟା କରିବ। ଏହା ଏକ ଅନାବଶ୍ୟକ ଏବଂ ଖରାପ ବିଲ୍, ଯାହା ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଆଗତ କରାଯାଇଛି।”
ସୀମା ନିର୍ଦ୍ଧାରଣ ବିଲ୍ ଉପରେ ପ୍ରତିକ୍ରିୟା
ସେ କହିଛନ୍ତି, “ସରକାର ଯେଉଁ ସୀମା ନିର୍ଦ୍ଧାରଣ ବିଲ୍ ଆଗତ କରିବାକୁ ଚାହୁଁଛନ୍ତି ତାହା ଅନାବଶ୍ୟକ। ରାଜ୍ୟର ବିଦ୍ୟମାନ ପ୍ରତିନିଧିତ୍ୱ (ସିଟ୍ ସଂଖ୍ୟା) ହ୍ରାସ କରାଯିବା ଉଚିତ୍ ନୁହେଁ। ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ସଚ୍ଚୋଟ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିଥିବା ରାଜ୍ୟଗୁଡ଼ିକୁ କାହିଁକି ଦଣ୍ଡିତ କରାଯାଉଛି?”


