ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ଜାରି ରହିଛି। କେଉଁଠି ଝିପିଝିପି ତ ଆଉ କେଉଁଠି ମୂଷଳଧାରା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମିବାରୁ ଯାତାୟାତ ସମସ୍ୟା ଦେଖାଦେଇଛି।
ବାଲେଶ୍ୱରରେ ବର୍ଷାର ପ୍ରକୋପ ସର୍ବାଧିକ ରହିଛି। ଜିଲ୍ଲାରେ ୧୩୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ, ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବିପଦକୁ ନଜରରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଷ୍ଟିଲ ସିଟି ରାଉରକେଲାରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାଘାଟରେ ବର୍ଷା ଜଳ ଲହଡି ଭଙ୍ଗୁଛି । ଭୋର 3ଟାରୁ ବର୍ଷା ହୋଇ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
କଟକରେ ମଧ୍ୟ ହଠାତ୍ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକେ ହନ୍ତସନ୍ତ ହୋଇଛନ୍ତି। ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା ବଢ଼ିଛି। ଆଗାମୀ ସମୟରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିବା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।


