ସୋର: ସ୍ୱାଧୀନତା ଦିବସ ପାଳନ ପାଇଁ ସ୍କୁଲ ଯାଉଥିବା ବେଳେ ଅଘଟଣ। ବର୍ଷାରେ ଭାରସାମ୍ୟ ହରାଇ ଏକ ବ୍ୟାଟେରୀ ଚାଳିତ ଅଟୋ ଓଲଟି ପଡ଼ିବାରୁ ୮ ଜଣ ଛାତ୍ରଛାତ୍ରୀଙ୍କ ସମେତ ଅଟୋ ଚାଳକ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳର ଷଠି ଛକ ନିକଟରେ ସକାଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ବାହାନଗା ବ୍ଲକ ଷଠି ଅଞ୍ଚଳର ୮ରୁ ଅଧିକ ଛାତ୍ରଛାତ୍ରୀ ଏକ ବ୍ୟାଟେରୀ ଚାଳିତ ଅଟୋରେ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସ୍ୱାଧୀନତା ଦିବସ ପାଳନ ପାଇଁ ଯାଉଥିଲେ। ତେବେ ଷଠି ଛକ ନିକଟରେ ବର୍ଷା ଯୋଗୁଁ ରାସ୍ତା ଓଦା ଥିବା ବେଳେ ଅଟୋଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ଅଟୋରେ ଥିବା ୮ ଜଣ ଛାତ୍ରଛାତ୍ରୀଙ୍କ ସମେତ ଚାଳକ କ୍ଷୀରୋଦ କୁମାର ପଣ୍ଡା ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତେବେ ଅଟୋ ଚାଳକ କ୍ଷୀରୋଦଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ ଛାତ୍ରଛାତ୍ରୀମାନେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।


