ସଇଁତଲା: ସେଲଫି ନେବା ହେଲା କାଳ। ଭାରସାମ୍ୟ ହରାଇ ଜାତୀୟ ରାଜପଥ-୨୬ର ତେଲନଦୀ ପୋଲ ତଳକୁ ଖସିପଡ଼ିଲେ ଜଣେ ଯୁବତୀ। ତେବେ ଅଗ୍ନିଶମ ବିଭାଗର ତ୍ୱରିତ ଉଦ୍ଧାର ଯୋଗୁଁ ତାଙ୍କ ଜୀବନ ରକ୍ଷା ପାଇଥିବା ଜଣାପଡ଼ିଛି।
ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ-କେସିଙ୍ଗା ଜାତୀୟ ରାଜପଥ-୨୬ର ତେଲନଦୀ ପୋଲ ଉପରେ ଏହି ଅଘଟଣ ଘଟିଛି। ଘୁନସାର ଗ୍ରାମର ତୃପ୍ତିମୟୀ ବାବୁ (୨୩) ପୋଲ ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲେ। ଏହାପରେ ସେ ପୋଲ ତଳକୁ ଖସିପଡ଼ିଥିଲେ।
ଯୁବତୀ ଖସିପଡ଼ିଥିବା ଖବର ପାଇବା ପରେ ସଇଁତଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିପଦପୂର୍ଣ୍ଣ ସ୍ଥାନରୁ ତୃପ୍ତିମୟୀଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ତୃପ୍ତିମୟୀଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଘଟଣା ପରେ ପୋଲ ଉପରେ ସେଲଫି ନେବା ସମୟରେ ସତର୍କ ରହିବା ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଗୋଟିଏ ମୁହୂର୍ତ୍ତର ଅସାବଧାନତା କିପରି ବଡ଼ ବିପଦ ଡାକି ଆଣିପାରେ, ଏହି ଘଟଣା ତାହାର ଏକ ଉଦାହରଣ।


