ରାଞ୍ଚି: ଛାତ୍ର ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ JSSC-CGL ପରୀକ୍ଷା ବାତିଲ କରାଯିବ। ଏଥିସହ ୨୦୧୪ ମସିହାରୁ ଘଟିଥିବା ବଡ଼ ଓ ଛୋଟ ସମସ୍ତ ପରୀକ୍ଷା ଅନିୟମିତତାର ବ୍ୟାପକ ତଦନ୍ତ କରାଯିବ ବୋଲି ସୋରେନ କହିଛନ୍ତି।
ରାଞ୍ଚିରେ ଛାତ୍ରମାନଙ୍କ ବିକ୍ଷୋଭ ମଧ୍ୟରେ ସରକାରଙ୍କ ଏହି ନିଷ୍ପତ୍ତି ଆସିଛି। ଛାତ୍ରମାନଙ୍କ ଦାବି ନେଇ ସେମାନଙ୍କ ସହ ଆଲୋଚନା ହୋଇଥିବା କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବପିଢ଼ିର ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ।
ପରୀକ୍ଷା ପରିଚାଳନାରେ ଥିବା SOPକୁ ଠିକ୍ ଭାବେ ପାଳନ କରାଯାଇଥିଲେ ଅନିୟମିତତା ହୋଇନଥାନ୍ତା ବୋଲି ସୋରେନ କହିଛନ୍ତି। ଆଗକୁ ପରୀକ୍ଷା ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର କରାଯିବ ଏବଂ IAS ଅଧିକାରୀ ଅମିତାଭ କୌଶଳଙ୍କ ନେତୃତ୍ୱରେ ଏହି ସଂସ୍କାର ପ୍ରକ୍ରିୟା ଚାଲିବ।
ଅନ୍ୟପକ୍ଷରେ TDPL ସହ ଜଡ଼ିତ ପରୀକ୍ଷା, ପ୍ରକାଶିତ ଫଳାଫଳ, ଚୟନ ଓ ଅଂଶଗ୍ରହଣକାରୀ ପ୍ରାର୍ଥୀଙ୍କ ସମେତ ସମ୍ପୃକ୍ତ ସମସ୍ତ କାର୍ଯ୍ୟକଳାପ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ତଦନ୍ତ ବେଳେ ଅନେକ ଚମକାଇଦେବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ସେଗୁଡ଼ିକ ଏବେ ପ୍ରକାଶ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାସହ MMDR ଆଇନରେ କେନ୍ଦ୍ର ସରକାର କରିଥିବା ପରିବର୍ତ୍ତନ ନେଇ ଖୁବ୍ଶୀଘ୍ର ବୈଠକ ହେବ। ଆବଶ୍ୟକ ହେଲେ ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇପାରେ ବୋଲି ହେମନ୍ତ ସୋରେନ ସୂଚନା ଦେଇଛନ୍ତି।


