ସୁନ୍ଦରଗଡ଼: ଲଗାଣ ବର୍ଷା ଓ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଆଜି ଅର୍ଥାତ ମଙ୍ଗଳବାର (ଅଗଷ୍ଟ ୧୮) କୁ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବର୍ଷାଜନିତ ବିପଦକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।
ଗତକାଲି ସନ୍ଧ୍ୟାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ସମୟରେ ମଧ୍ୟ ବର୍ଷାର ପ୍ରଭାବ ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ଫଳରେ ନିମ୍ନାଞ୍ଚଳରେ ଜଳ ଜମିବା, ରାସ୍ତାଘାଟରେ ପାଣି ଚାଲିବା ଓ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ଛାତ୍ରଛାତ୍ରୀମାନଙ୍କୁ ବର୍ଷା ଓ ବନ୍ୟାଜନିତ ବିପଦରୁ ଦୂରେ ରଖିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟକୁ ଗୋଟିଏ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଆଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା ଏନେଇ ଆନୁଷ୍ଠାନିକ ସୂଚନା ଜାରି କରିଛନ୍ତି। ପାଣିପାଗର ସ୍ଥିତି ଓ ପରବର୍ତ୍ତୀ ସୂଚନା ଆଧାରରେ ବିଦ୍ୟାଳୟ ଖୋଲିବା ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।


