କନ୍ଧମାଳ: ଜମିଜମା ବିବାଦକୁ କେନ୍ଦ୍ର କରି କାକାଙ୍କୁ ହତ୍ୟା ଅଭିଯୋଗ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ସିକନବାଡ଼ି ଗାଁରେ ଘଟିଥିବା ଏହି ଘଟଣାରେ ଦୁଇ ଅଭିଯୁକ୍ତ ସଞ୍ଜୟ ଦିଗାଲ ଓ ସିଦ୍ଧାନ୍ତ ଦିଗାଲଙ୍କୁ ଗିରଫ କରିଛି ପୁଲିସ। ଉଭୟଙ୍କୁ ଗିରଫ ପରେ ନ୍ୟାୟିକ ହାଜତକୁ ପଠାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଦ୍ୱୟଙ୍କ ସହ ମୃତକ ମିଶ୍ର ପ୍ରଧାନଙ୍କର କୃଷିଜମି ଅଧିକାରକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଜମିକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ମଧ୍ୟ ହେଉଥିଲା।
ଗତ ୧୩ ଅଗଷ୍ଟରେ ମଧ୍ୟାହ୍ନ ସମୟରେ ଜମି ବିବାଦକୁ ନେଇ ମିଶ୍ର ପ୍ରଧାନ ଓ ଅଭିଯୁକ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ମିଶ୍ର ପ୍ରଧାନଙ୍କୁ ହତ୍ୟା କରାଯାଇ ମୃତଦେହକୁ ସିକନବାଡ଼ି ନିକଟ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ପୁଲିସ ଅଭିଯୋଗ ପାଇଥିଲା।
୧୫ ଅଗଷ୍ଟ ଅପରାହ୍ଣ ପ୍ରାୟ ୪ଟା ୧୫ରେ ଦାରିଙ୍ଗବାଡ଼ି ଥାନା ଆଇଆଇସି ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇଥିଲେ। ଏହାପରେ ପୁଲିସର ଏକ ଟିମ୍ ସିକନବାଡ଼ି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ଥାନାଠାରୁ ପ୍ରାୟ ୩୩ କିଲୋମିଟର ଦୂରରେ ଥିବା ଏହି ଗାଁରେ ସ୍ଥାନୀୟ ଭାବେ ତଦନ୍ତ କରିବା ପରେ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ତଥ୍ୟ ସାମ୍ନାକୁ ଆସିଥିଲା।
ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ସଞ୍ଜୟ ଦିଗାଲ ଓ ସିଦ୍ଧାନ୍ତ ଦିଗାଲଙ୍କୁ ପୁଲିସ ଗିରଫ କରିଛି। ଉଭୟ ଅଭିଯୁକ୍ତ ମୃତକ ମିଶ୍ର ପ୍ରଧାନଙ୍କ ସମ୍ପର୍କୀୟ କାକାପୁଅ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଘଟଣାରେ ଦାରିଙ୍ଗବାଡ଼ି ଥାନାରେ କେସ୍ ନମ୍ବର ୨୧୨/୨୦୨୬ ରୁଜୁ ହୋଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।


