କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯୋଡ଼ି ହେବ ଆଉ ଏକ ମେଡିସିନ୍ ବ୍ଲକ୍। ଏଥିପାଇଁ ଖୁବଶୀଘ୍ର ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଏସ୍ସିବିର ମେଗା ପୁନଃବିକାଶ ପ୍ରକଳ୍ପର ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦିଆଯାଇଛି।
ଏସ୍ସିବିରେ ବର୍ତ୍ତମାନ ୪ଟି ନୂଆ କ୍ଲିନିକାଲ୍ ବ୍ଲକ୍ ଓ ଗୋଟିଏ ଆବାସିକ ବ୍ଲକ୍ ନିର୍ମାଣାଧୀନ ରହିଛି। କ୍ଲିନିକାଲ୍ ବ୍ଲକ୍ଗୁଡ଼ିକର ନିର୍ମାଣ କାମ ୨୦୨୭ ଜୁନ୍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି।
ଏହାସହ ହସ୍ପିଟାଲ ନିକଟ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ, ଚଉଡ଼ା ରାସ୍ତା ଓ ସୌନ୍ଦର୍ଯ୍ୟୀକରଣ କରାଯିବ। ନିର୍ମାଣାଧୀନ ବହୁତଳ କାର୍ପାର୍କିଂ ଏବଂ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ୍ କରିଡର କାମ ମଧ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି।
ଏସ୍ସିବିର ସମସ୍ତ ନିର୍ମାଣ ଓ ପୁନଃବିକାଶ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମାରେ କାମ ସାରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।


