ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷରେ ଓଡ଼ିଶାର ଦୁଇଟି ମେଡିକାଲ କଲେଜରେ ୫୦ ଲେଖାଏଁ MBBS ସିଟ୍ ବୃଦ୍ଧି ପାଇଛି। ବୁର୍ଲା ଭିମ୍ସାର ଓ କଟକ ଡ୍ରିମ୍ସରେ ଏହି ବର୍ଦ୍ଧିତ ସିଟ୍ ଯୋଗ ହୋଇଛି। ଫଳରେ ରାଜ୍ୟର ୧୭ଟି ମେଡିକାଲ କଲେଜରେ ମୋଟ ୨୨୫୦ MBBS ସିଟ୍ ରହିଛି।
ସରକାରୀ ମେଡିକାଲ କଲେଜଗୁଡ଼ିକର ୧୮୫୦ ସିଟ୍ ମଧ୍ୟରୁ ୧୫% ସର୍ବଭାରତୀୟ କୋଟାରେ ଯିବ ଏବଂ ୮୫% ଅର୍ଥାତ୍ ୧୫୭୨ ସିଟ୍ରେ ଓଡ଼ିଶା ଛାତ୍ରଛାତ୍ରୀ ନାମ ଲେଖାଇବେ। ଘରୋଇ ମେଡିକାଲ କଲେଜରେ ମଧ୍ୟ ସିଟ୍ ସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି।
ସର୍ବଭାରତୀୟ କୋଟା ବ୍ୟତୀତ ଅନ୍ୟ ସିଟ୍ ପାଇଁ ଓଜେଇଇ କାଉନସେଲିଂ କରୁଛି। ଚଳିତବର୍ଷ ୧୯୭୨ MBBS ସିଟ୍ ପାଇଁ କାଉନସେଲିଂ ହେବ। ରାଜ୍ୟସ୍ତରୀୟ ମେଧା ତାଲିକାରେ ୬,୨୧୭ NEET ରାଙ୍କଧାରୀ ସ୍ଥାନ ପାଇଛନ୍ତି।
ଅଗଷ୍ଟ ୨୨ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚଏସ୍ ଫିଲିଂ ହେବ। ଅଗଷ୍ଟ ୨୪ରେ ପ୍ରଥମ ପ୍ରୋଭିଜନାଲ ଆଲଟ୍ମେଣ୍ଟ ଏବଂ ୨୬ରେ ପ୍ରଥମ ରାଉଣ୍ଡ ଆଲଟ୍ମେଣ୍ଟ ହେବ। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୬ ମଧ୍ୟରେ ନାମଲେଖା ପ୍ରକ୍ରିୟା ଚାଲିବ।


