ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଏକ ପିକଅପ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ପିକଅପ୍ଟି ଶଗଡ଼ା ଗାଁରୁ ପ୍ରାୟ ୨୫ ଜଣ ଶ୍ରମିକଙ୍କୁ ନେଇ ପଦ୍ମପୁର ବ୍ଲକ୍ ଅଭିମୁଖେ ଯାଉଥିଲା। ଟଲଣା ଘାଟି ଦେଇ ଯାଉଥିବା ସମୟରେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଗୁରୁତର ଶ୍ରମିକଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।


