ସୁନ୍ଦରଗଡ଼: ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍ୱେରେ ଗୁରୁବାର ସନ୍ଧ୍ୟାରେ ଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ ଟ୍ରଲର ଏକ ସ୍କୁଟିକୁ ଧକ୍କା ଦେବାରୁ ମହିଳାଙ୍କ ସମେତ ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଟ୍ରଲର ଚକା ତଳେ ଚାପି ହୋଇ ତିନିଜଣଙ୍କ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୋଇଲା ବୋଝେଇ ଟ୍ରଲରଟି (OD-16 M-4742) ବିଜୁ ଏକ୍ସପ୍ରେସ୍ୱେରେ ଯାଉଥିବା ବେଳେ ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ସ୍କୁଟିରେ ଥିବା ତିନିଜଣ ଟ୍ରଲର ଚକା ତଳେ ଚାପି ଯାଇଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଭଷ୍ମା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିଲା। ଏଥିସହ ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ ମଧ୍ୟ ପୁଲିସ ଜବତ କରିଛି।
ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଟ୍ରଲର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଫେରାର ଚାଳକଙ୍କୁ ଧରିବା ପାଇଁ ଭଷ୍ମା ପୁଲିସ ଛାନ୍ଭିନ୍ ଜାରି ରଖିଛି। ତେବେ ମୃତକ ତିନିଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ନେଇ ପୁଲିସ ତଦନ୍ତ ଚଳାଇଛି।


