ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ମହାନଦୀରୁ ଦୁଇ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଚଢେଇପଙ୍କ ବ୍ରିଜ୍ ଉପରୁ ଦୁଇ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଘଟଣା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।
ଖବର ପାଇ ବିନିକା ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହ କିଛି ସ୍ଥାନୀୟ ମତ୍ସ୍ୟଜୀବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ମହାନଦୀର ପାଣି ଭିତରୁ ଉଭୟ ନାବାଳିକାଙ୍କୁ ଖୋଜାଖୋଜି କରିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ଦୁଇ ନାବାଳିକାଙ୍କୁ ତୁରନ୍ତ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରୀ ଯାଞ୍ଚ କରାଯାଉଛି। ତେବେ ଦୁଇ ନାବାଳିକା କେଉଁ ପରିସ୍ଥିତିରେ ଚଢେଇପଙ୍କ ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବା ପାଇଁ ତଦନ୍ତ ଜାରି ରହିଛି।


