ଚମ୍ପୁଆ : ଲଗାଣ ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ରୁଗୁଡ଼ି ନିକଟସ୍ଥ NH-520ର ବାରବାଙ୍କ ଘାଟିରେ ବଡ଼ ଧରଣର ଭୂସ୍ଖଳନ ଘଟିଥିବା ଜଣାପଡ଼ିଛି। ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସି ରାଜପଥ ଉପରେ ପଡ଼ିଛି।
ଭୂସ୍ଖଳନ ପରେ NH-520ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ମାଟି ଓ ପଥରରେ ଅବରୋଧ ହୋଇଛି। ବିଶେଷକରି ଭଦ୍ରାସାହିରୁ କୋଇଡ଼ା ଯିବା ଦିଗର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିବାବେଳେ ଯାତ୍ରୀ ଓ ଗାଡ଼ି ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳର ମାଟି ନରମ ହୋଇଯିବାରୁ ଭୂସ୍ଖଳନ ଘଟିଥିବା ଆଶଙ୍କା କରାଯାଉଛି। ଏହି ଘାଟି ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଭାରୀଯାନ ଓ ଅନ୍ୟ ଗାଡ଼ି ଚଳାଚଳ କରୁଥିବାରୁ ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ଉପରେ ବଡ଼ ପ୍ରଭାବ ପଡ଼ିଛି।
ଘଟଣାସ୍ଥଳରେ ମାଟି ଓ ପଥର ହଟାଇ ରାସ୍ତା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଆରମ୍ଭ ହେବା ନେଇ ସୂଚନା ମିଳିଛି। ତେବେ ପାହାଡ଼ରୁ ପୁଣି ମାଟି କିମ୍ବା ପଥର ଖସିବାର ଆଶଙ୍କା ଥିବାରୁ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।


