ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ଗିରି ଦଣ୍ଡସେନାଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ୍ୟ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ସେ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହୋଇଥିଲେ।
ଗିରି ଦଣ୍ଡସେନାଙ୍କର ଗଳ୍ପ ପୁସ୍ତକ ଗୁଡ଼ିକ ମଧ୍ୟରେ ‘କାଳସୂତ୍ର’, ‘ଓ ଇଣ୍ଡିଆ’, ‘ଭୂମିଗର୍ଭା’, ‘ଓଡ଼ିଶୀ ଓଡ଼ିଶୀ’, ‘ଅନାର୍ଯ୍ୟ ଦାସ’, ‘ରାସ୍ତାକଡ଼େ ଜୀବନ’, ଓ ‘ପ୍ରବାଦ ପୁରୁଷ’ ପ୍ରମୁଖ ରହିଛି। ସାଂସାରିକ ଦୣଷ୍ଟିରେ ପରାଜିତ ଓ ଅବହେଳିତ ମନେହେଉଥିବା ମଣିଷମାନଙ୍କର ଚାରିତ୍ରିକ ଓ ଆତ୍ମିକ ଉଚ୍ଚତା ଏବଂ ଗଭୀରତା ତାଙ୍କ ଗଳ୍ପଗୁଡ଼ିକରେ ପ୍ରକଟିତ। ତାଙ୍କ ଗଳ୍ପର କଥନଶୈଳୀ ଅଣପାରମ୍ପରିକ ଏବଂ ଭାବପ୍ରକାଶ-ସାମର୍ଥ୍ୟର ସୂଚକ। ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।


