ବ୍ରହ୍ମପୁର: କନ୍ଧମାଳରୁ ଭୁବନେଶ୍ବରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ ସମୟରେ ୧୯୫ କେଜି ଗଞ୍ଜେଇ ଜବତ ହୋଇଛି । ବ୍ରହ୍ମପୁର ଫାଷ୍ଟଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ବଡ଼ ଧରଣର ଗଞ୍ଜେଇ ଚାଲାଣ ଧରିଛି। ଦୁଇଟି ଦାମୀ କାରରେ ଚାଲାଣ ହେଉଥିବା ୧୯୫ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି।
କନ୍ଧମାଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇ ଅବକାରୀ ଟିମ୍ ନଜର ରଖିଥିଲା। ଫାଷ୍ଟଗେଟ୍ ନିକଟରେ ଦୁଇଟି ସନ୍ଦେହଜନକ କାରକୁ ଅଟକାଇବାକୁ ଉଦ୍ୟମ କରିବାରୁ ଚାଲାଣକାରୀମାନେ ଦ୍ରୁତ ଗତିରେ ଖସିବାକୁ ଚେଷ୍ଟା କରିଥିଲେ। ପିଛା କରି ଅବକାରୀ ଟିମ୍ ଉଭୟ ଗାଡ଼ିକୁ କାବୁ କରିଥିଲା।
ତଲାସି ବେଳେ ଗଞ୍ଜେଇ ସହ ଦୁଇଟି କାର ଓ ମୋବାଇଲ୍ ଫୋନ୍ ଜବତ ହୋଇଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଓ ଏହି ଚାଲାଣ ପଛରେ ଆଉ କିଏ ଅଛନ୍ତି, ତାହାର ତଦନ୍ତ ଚାଲିଛି।


