ନୂଆପଡ଼ା: ଜମି ଦୁର୍ନୀତି ମାମଲାକୁ ନେଇ ନୂଆପଡ଼ା ଜିଲ୍ଲାରେ ବଡ଼ ଧରଣର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। ଅଭିଯୋଗରେ କୋମନା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ସର୍ବେଶ୍ବର ଜାଲ ଓ ARI ରମାନାଥ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି। ଦୁଇ ଅଧିକାରୀଙ୍କ ବିରୋଧରେ ଜମି ସମ୍ପର୍କିତ ଅନିୟମିତତାର ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।
କୋମନା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ସର୍ବେଶ୍ବର ଜାଲଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ସେହିପରି ARI ରମାନାଥ ମିଶ୍ରଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।
ନିଲମ୍ବନ ପରେ ଉଭୟ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମି ଦୁର୍ନୀତି ସମ୍ପର୍କିତ ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରଶାସନର କଡ଼ା ଆଭିମୁଖ୍ୟ ଭାବେ ଦେଖାଯାଉଛି।
ମାମଲାରେ ଅନିୟମିତତାର ପରିମାଣ ଏବଂ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।


