ସମ୍ବଲପୁର: କଲେଜ ଫଣ୍ଡରୁ କୋଟି କୋଟି ଟଙ୍କା ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ସ୍କାନରରେ ସମ୍ବଲପୁର ଲଇଡାସ୍ଥିତ ଦୂତିକା ସାହୁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ନାଏକ। କଲେଜ ଫଣ୍ଡରୁ ପ୍ରାୟ ଅଢେଇ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ପଚରାଉଚରା କରୁଥିବା ସୂଚନା ମିଳିଛି।
ପ୍ରାୟ ୭ ବର୍ଷ ଧରି ବସନ୍ତ କୁମାର ନାଏକ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ କଲେଜର ବିଭିନ୍ନ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ବିଶେଷକରି କଲେଜ ଫଣ୍ଡରୁ ପ୍ରାୟ ଅଢେଇ କୋଟି ଟଙ୍କା ହେରଫେର କିମ୍ବା ଆତ୍ମସାତ ହୋଇଥିବା ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।
କେବଳ କଲେଜର ସରକାରୀ ଅର୍ଥ ନୁହେଁ, ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ବିଭିନ୍ନ ଫି’ରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଏହି ଅଭିଯୋଗଗୁଡ଼ିକର ଆଧାରରେ ଭିଜିଲାନ୍ସ ଟିମ୍ କଲେଜରେ ପହଞ୍ଚି ବିଭିନ୍ନ କାଗଜପତ୍ର, ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ଓ ଅନ୍ୟାନ୍ୟ ରେକର୍ଡ ଯାଞ୍ଚ କରିଛି।
ତଦନ୍ତ ସମୟରେ ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ଓ ରେକର୍ଡରୁ ତଥ୍ୟ ସଂଗ୍ରହ କରାଯାଉଛି। କେତେ ଟଙ୍କାର ଅନିୟମିତତା ହୋଇଛି, ଅଭିଯୋଗରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅର୍ଥ କେଉଁ ଉପାୟରେ ହେରଫେର ହୋଇଛି, ସେନେଇ ଖୋଳତାଡ଼ ଚାଲିଛି।
ଭିଜିଲାନ୍ସର ତଦନ୍ତ ଶେଷ ହେବା ପରେ ହିଁ ଅଭିଯୋଗର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ଏନେଇ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ କିମ୍ବା ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ନାଏକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


