ଭୁବନେଶ୍ବର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ (CRUT)। ରକ୍ଷାବନ୍ଧନ ଦିନ ମହିଳାମାନଙ୍କ ପାଇଁ ‘ଆମ ବସ୍’ ସେବା ସମ୍ପୂର୍ଣ୍ଣ ମାଗଣା ରହିବ। ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ଭଉଣୀମାନଙ୍କ ଯାତାୟାତକୁ ସହଜ କରିବା ଉଦ୍ଦେଶ୍ୟରେ CRUT ପକ୍ଷରୁ ଏହି ସ୍ବତନ୍ତ୍ର ସୁବିଧା ଘୋଷଣା କରାଯାଇଛି।
CRUTର ଘୋଷଣା ଅନୁଯାୟୀ, ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝର ସଦର ଏବଂ ରାଉରକେଲାରେ ମହିଳା ଯାତ୍ରୀମାନେ ମାଗଣାରେ ‘ଆମ ବସ୍’ରେ ଯାତ୍ରା କରିପାରିବେ। ଏଥିପାଇଁ ମହିଳା ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ।
ରକ୍ଷାବନ୍ଧନ ଦିନ ଭଉଣୀମାନଙ୍କ ଯାତାୟାତ ଅଧିକ ସୁବିଧାଜନକ କରିବା ସହ ସେମାନଙ୍କୁ ଆର୍ଥିକ ରିହାତି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। CRUT ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସୁବିଧା ଦ୍ବାରା ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ।
ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନେ ଭାଇଙ୍କ ନିକଟକୁ ଯିବା ସହ ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚିପାରିବେ। CRUTର ଏହି ଘୋଷଣାକୁ ନେଇ ମହିଳା ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି।


