କଟକ: କଟକ ବଡ଼ ମେଡିକାଲରେ ସାମ୍ନାକୁ ଆସିଛି ବଡ଼ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ପ୍ରଦାନରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ପରେ ମଙ୍ଗଳାବାଗ ପୋଲିସ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, କଟକ ବଡ଼ ମେଡିକାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୧୦ ବର୍ଷ ମଧ୍ୟରେ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିଶେଷକରି ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍ ଓ ମାଟର୍ନିଟି ଲିଭ୍ ଭଳି ବିଭିନ୍ନ ଖର୍ଚ୍ଚ ବାବଦରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆସିଛି।
ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଆର୍ଥିକ କାରବାରରେ ଆଉ କେତେଜଣ ସାମିଲ ଅଛନ୍ତି, ତାହା ଏବେ ତଦନ୍ତର ପ୍ରମୁଖ ପ୍ରସଙ୍ଗ ପାଲଟିଛି।
ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଏହି ଆର୍ଥିକ ଅନିୟମିତତା କିପରି ହୋଇଥିଲା, କେଉଁ ପ୍ରକ୍ରିୟାରେ ଟଙ୍କା ଉଠାଯାଇଥିଲା ଏବଂ ଏଥିରେ ଆଉ କେଉଁ କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ଼ କରୁଛି। ଏହା ସହ ହେରଫେର ହୋଇଥିବା ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି କିମ୍ବା କାହା ଖାତାକୁ ଯାଇଛି, ତାହା ମଧ୍ୟ ତଦନ୍ତ କରାଯାଉଛି।
ଘଟଣାରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଗିରଫ ପରେ ଏହି ଆର୍ଥିକ ହେରଫେରର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ତଦନ୍ତ ଶେଷ ହେଲେ ସ୍ପଷ୍ଟ ହେବ।


