ଝାରସୁଗୁଡ଼ା: ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଙ୍କୁ ରାକ୍ଷୀ ବାନ୍ଧିବା ପରେ ଶାଶୁଘରେ ଛାଡ଼ିବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଭାଇଙ୍କ ମୃତ୍ୟୁ ଘଟିଛି। ଲଇକେରା ଥାନା ଅନ୍ତର୍ଗତ ଜାମଡିହି ଗ୍ରାମର ଅର୍ଜୁନ କିସାନ (୫୮) ଭଉଣୀଙ୍କୁ ବାଇକ୍ରେ ବସାଇ କୁକେରମା ଯାଉଥିବା ବେଳେ ଏକ ଦ୍ରୁତଗାମୀ ଚାରିଚକିଆ ଗାଡ଼ି ଧକ୍କା ଦେଇଥିଲା।
ଦୁର୍ଘଟଣାରେ ଅର୍ଜୁନଙ୍କ ଗୋଡ଼ ଛିଣ୍ଡିଯାଇଥିବା ବେଳେ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଅର୍ଜୁନଙ୍କୁ ଝାରସୁଗୁଡ଼ା ସରକାରୀ ହସ୍ପିଟାଲ ନିଆଯାଇଥିଲା, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇଯାଇଛି। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଯାଞ୍ଚ ସହ ତଦନ୍ତ ଚଳାଇଛି।


