ନୂଆଦିଲ୍ଲୀ: ଗୋଆରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଆଜି ସକାଳେ ଇଣ୍ଡିଗୋ ବିମାନ 6E 2102 ଗୋଆରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଥିବା ଜଣାପଡିଥିଲା। ପରେ ବିମାନଟିକୁ ଗୋଆର ମୋପେ ବିମାନବନ୍ଦରକୁ ଫେରାଇ ଦିଆଯାଇଥିଲା।
ଇଣ୍ଡିଗୋର ଜଣେ ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, “ଆଜି ଉତ୍ତର ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E 2102 ରେ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିଲା। ମାନକ କାର୍ଯ୍ୟ ପ୍ରଣାଳୀ ଅନୁସରଣ କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଥିଲା, ଏବଂ ପାଇଲଟମାନେ ସୁରକ୍ଷିତ ଭାବରେ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ଫେରାଇ ଆଣିଥିଲେ। ବିମାନଟି ବର୍ତ୍ତମାନ ରକ୍ଷଣାବେକ୍ଷଣ ଯାଞ୍ଚ କରାଯାଉଛି ଏବଂ ସମସ୍ତ ଆବଶ୍ୟକୀୟ ଅନୁମତି ମିଳିବା ପରେ ଏହାକୁ ସେବାରେ ନିୟୋଜିତ କରାଯିବ।”


