ଭୁବନେଶ୍ଵର: ଆଜି କଟକସ୍ଥିତ କ୍ରାଇମବ୍ରାଞ୍ଚ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ଏବଂ ଏହା ଦ୍ୱାରା ଘଟୁଥିବା ଧନଜୀବନ ହାନିକୁ ରୋକିବା ପାଇଁ କ୍ରାଇମ୍ ବ୍ରାଞ୍ଚ୍, ରାଜ୍ୟ ପରିବହନ ପ୍ରାଧିକରଣ (STA), Common Action for Road Safety, TRAX, Honda Motor Cycle and Scooter India ର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ (Ideal Road Safety Town) ଭାବେ ଗଢ଼ି ତୋଳିବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ୍ ଉପସ୍ଥାପନ କରାଯାଇଛି।
ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୮ ରୁ ୪୫ ବର୍ଷ ବୟସ ମଧ୍ୟରେ ୬୬ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁବରଣ କରୁଛନ୍ତି। ହେଲମେଟ୍ ଏବଂ ସିଟ୍ବେଲ୍ଟ ବ୍ୟବହାର ନକରିବା ଏବଂ ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ସାଜିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଭାବେ ଗଢ଼ି ତୋଳିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।
ଏହି ଯୋଜନାକୁ ବାସ୍ତବରୂପ ଦେବା ପାଇଁ ସଡ଼କ ସୁରକ୍ଷାର ‘୪ଇ’ ସୂତ୍ର ଅର୍ଥାତ୍ Education (ସଚେତନତା), Engineering (ସଡ଼କ ନିର୍ମାଣ ଓ ସୁରକ୍ଷା ଡିଜାଇନ୍), Enforcement (କଡ଼ାକଡ଼ି ନିୟମ ପାଳନ), ଏବଂ Emergency Care (ଜରୁରୀକାଳୀନ ସ୍ୱାସ୍ଥ୍ୟସେବା) ଉପରେ ଗୁରୁତ୍ୱାରୋପ କରାଯାଇଛି।
ସଚେତନତା ସୃଷ୍ଟି ପାଇଁ ସ୍କୁଲ୍ ଓ କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଦେବା, ଡିଜିଟାଲ୍ ପ୍ରଚାର କରିବା ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ କମ୍ପ୍ୟୁଟର ସାହାଯ୍ୟରେ ବାସ୍ତବ ଗାଡ଼ି ଚଳାଇବାର କୃତ୍ରିମ ଅନୁଭୂତି ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଇଞ୍ଜିନିୟରିଂ କ୍ଷେତ୍ରରେ ଦୁର୍ଘଟଣାପ୍ରବଣ ସ୍ଥାନ (Blackspots) ଚିହ୍ନଟ କରିବା, ରାସ୍ତାର ଉନ୍ନତ ଡିଜାଇନ୍ ଏବଂ ସ୍ମାର୍ଟ ସାଇନେଜ୍ ସ୍ଥାପନ ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା। ହେଲମେଟ୍ ଓ ସିଟ୍ବେଲ୍ଟ ନିୟମର କଡ଼ାକଡ଼ି ଅନୁପାଳନ, ସ୍ପିଡ୍ କ୍ୟାମେରା ବ୍ୟବହାର ଏବଂ ଟ୍ରାଫିକ୍ ଛକମାନଙ୍କରେ ଚେକିଂ ଜୋରଦାର କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହାସହ ଜରୁରୀକାଳୀନ ସେବା ଅଧୀନରେ ଗୋଲ୍ଡେନ ଆୱାର ମଧ୍ୟରେ ଆହତଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇବା, ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବା ଭଳି ପଦକ୍ଷେପ ନିଆଯିବା ସମ୍ପର୍କରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜିପି (କ୍ରାଇମବ୍ରାଞ୍ଚ) ସାର୍ଥକ ଷଡଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଡିଆଇଜି (କ୍ରାଇମବ୍ରାଞ୍ଚ) ମଡକର ସନ୍ଦୀପ ସମ୍ପତ, ଆଡଭୋକେଟ ସୁଜିତ ସେନାପତି (Odisha Road Safety Council Member), ପୁନମ ରାଣୀ, ଆନୁରାଗ କୁଳଶ୍ରେଷ୍ଠ, ସଞ୍ଜିତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


