ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ପରେ ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ଏହାଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଏବଂ ପ୍ରବେଶ ପଥରେ ବ୍ୟାପକ ପାଣି ଜମି ରହିବା ସହ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖରାପ ପାଣିପାଗ ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ଅପରାହ୍ନ ୩:୩୦ ରୁ ୪:୩୦ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୯ଟି ବିମାନର ରୁଟ୍ ବଦଳାଯାଇଛି ସୁବ୍ରୋତୋ ପାର୍କ, କନାଟ ପ୍ଲେସ, ଆକବର ରୋଡ୍ ଏବଂ ଗୁରୁଗ୍ରାମର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଗୁରୁଗ୍ରାମରେ ଜଳବନ୍ଦୀ ସମସ୍ୟା ରୋକିବା ପାଇଁ ଜିଲ୍ଲା ପ୍ରଶାସନ କରିଥିବା ସମସ୍ତ ଦାବି ଏବଂ ପ୍ରସ୍ତୁତି ନିଷଫଳ ସାବ୍ୟସ୍ତ ହୋଇଛି, ଯାହାଯୋଗୁଁ ସାଧାରଣ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ପାଣିପାଗ ବିଭାଗ ଏହି ବର୍ଷା ଓ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆର ପାଇଁ ଆଲର୍ଟ ଜାରି କରିଛି। ଶନିବାର ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।


