ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବଢ଼ିଥିବା ବିବାଦ ମଧ୍ୟରେ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ତାଙ୍କୁ ପୁଲିସ ହେପାଜତକୁ ନେଇଥିଲା। ଏବେ ତାଙ୍କୁ ଖୁବ୍ଶୀଘ୍ର ପଟିଆଲା ହାଉସ କୋର୍ଟରେ ହାଜର କରାଯିବ।
ଭରଦ୍ୱାଜଙ୍କ ବିରୋଧରେ ପୁଲିସ ପୂର୍ବରୁ ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ରେ ଏସ୍ସି/ଏସ୍ଟି ଆଇନର ଧାରା ଯୋଡ଼ିଛି। ଏହା ସହିତ ପକ୍ସୋ ଆଇନର ଧାରା ଅନୁଯାୟୀ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଗିରଫ ପରେ ମାମଲାରେ ଆଗକୁ କ’ଣ ଆଇନଗତ ପଦକ୍ଷେପ ନିଆଯିବ, ତାହା ଉପରେ ନଜର ରହିଛି।
ଘଟଣାର ମୂଳରେ ରହିଛି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ପୋଡକାଷ୍ଟ କ୍ଲିପ୍। ସେପ୍ଟେମ୍ବର ୩ରେ ସ୍ୱତନ୍ତ୍ର ଭରଦ୍ୱାଜଙ୍କ ଏକ ପୋଡକାଷ୍ଟର ଅଂଶ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ଏଥିରେ ସେ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ସମ୍ପର୍କରେ କହୁଥିବା ଦାବି କରାଯାଇଥିଲା।
ଭିଡିଓରେ ସେ ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ରଡ୍ରେ ଆଘାତ କରିଥିବା ଏବଂ ଏଥିରେ ତାଙ୍କୁ ଅନେକ ସିଲାଇ ପଡ଼ିଥିବା ନେଇ କହିଥିବା ଅଭିଯୋଗ ହୋଇଥିଲା। ଏହି କ୍ଲିପ୍ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ଜୋରଦାର ହୋଇଥିଲା।
ଭାଇରାଲ୍ କ୍ଲିପ୍ ସାମ୍ନାକୁ ଆସିବା ପରେ ଜନ୍ତର ମନ୍ତରରେ ହୋଇଥିବା ଆକ୍ରମଣ ଘଟଣା ନୂଆ ମୋଡ଼ ନେଇଥିଲା। ଘଟଣାକୁ ନେଇ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଥିଲା। ଭରଦ୍ୱାଜଙ୍କ ସହ କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଭାଇରାଲ୍ ଭିଡିଓ ପ୍ରସଙ୍ଗରେ ବିଜେପି ନେତା କପିଲ ମିଶ୍ର ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ନାମ ମଧ୍ୟ ଉଠିଥିଲା। ବିରୋଧୀ ଦଳ ଏବଂ ସିଜେପି ସହ ଜଡ଼ିତ କିଛି ଲୋକ ଭରଦ୍ୱାଜ ରାଜନୈତିକ ପୃଷ୍ଠପୋଷକତା ପାଉଥିବା ଅଭିଯୋଗ ଆଣିଥିଲେ।
ତେବେ ଚିରାଗ ପାସୱାନ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସହ ନିଜର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଥିଲେ।
ଭାଇରାଲ୍ ଭିଡିଓକୁ କେନ୍ଦ୍ରକରି ଆରମ୍ଭ ହୋଇଥିବା ବିବାଦ ଏବେ ଗିରଫ ପର୍ଯ୍ୟନ୍ତ ପହଞ୍ଚିଛି। ଏକପଟେ ଜନ୍ତର ମନ୍ତର ଆକ୍ରମଣ ମାମଲା, ଅନ୍ୟପଟେ ଏସ୍ସି/ଏସ୍ଟି ଆଇନର ଧାରା ଯୋଡ଼ାଯିବା ଏବଂ ପକ୍ସୋ ଆଇନରେ ନୂଆ ମାମଲା—ଏସବୁ କାରଣରୁ ମାମଲା ଅଧିକ ଗୁରୁତ୍ୱ ବହନ କରୁଛି।
ଏବେ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯିବା ପରେ ମାମଲା କେଉଁ ଦିଗକୁ ଯିବ, ତାହା ଉପରେ ନଜର ରହିଛି।


