ଭୁବନେଶ୍ବର: ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ଅତି ମନୋରମ ଓ ଆକର୍ଷଣୀୟ ବଣଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି। କାଳିଆ ସାଆନ୍ତ ଓ ବଡ଼ଠାକୁର ହାତରେ ବାଡ଼ି ଏବଂ ଶିକାରେ ସର-ଲହୁଣୀ ଧରି ଭକ୍ତମାନଙ୍କୁ ଅପୂର୍ବ ରୂପରେ ଦର୍ଶନ ଦେଇଛନ୍ତି। ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟ ରାମାନନ୍ଦ ଓ ଶ୍ରୀ ଚୈତନ୍ୟଙ୍କ ସମୟରୁ ଏହି ବେଶ ଏବଂ ଏହାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ପ୍ରଚଳିତ ହୋଇ ଆସୁଥିବା ବିଶ୍ୱାସ କରାଯାଏ। ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ସଜ ପାଇଁ ବଡ଼ଠାକୁର ଏବଂ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଆଜ୍ଞାମାଳ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପ ସମ୍ପୂର୍ଣ୍ଣ ହେବା ପରେ ଏହି ଆଜ୍ଞାମାଳ ଦ୍ୱୟକୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଧୂପ ନୀତି ଶେଷ ହୋଇ ଦକ୍ଷିଣ ଘରେ ଥିବା ରାମ ଓ କୃଷ୍ଣଙ୍କୁ ଏହି ଆଜ୍ଞାମାଳ ଲାଗି କରାଯାଇଥିଲା। ରାମକୃଷ୍ଣ ଆଜ୍ଞାମାଳ ପାଇବା ପରେ ବଟଦ୍ୱାର ନିକଟରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥିଲେ। ବିମାନ ବଡ଼ୁ ସେବକମାନେ ଘଣ୍ଟ, ଛତା, କାହାଳୀ ଓ ପଟୁଆର ସହ ଠାକୁରଙ୍କୁ ନେଇ ସିଂହଦ୍ୱାର ପାର୍ଶ୍ୱସ୍ଥ ବଡ଼ଛତା ମଠ ସମ୍ମୁଖରେ ପ୍ରସ୍ତୁତ କାଠ ସିଂହାସନରେ ବିଜେ କରାଇଥିଲେ। ସେଠାରେ ଶ୍ରୀଜୀଉଙ୍କ କୋଳିବିକା ନୀତି ସମ୍ପାଦିତ ହୋଇଥିଲା। ଏହି ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ସଜ୍ଜିତ କରିଥିଲେ।
ଏହି ବେଶରେ ଶ୍ରୀବିଗ୍ରହମାନଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ କିରୀଟି, ୨ଟି ସ୍ୱର୍ଣ୍ଣ କର୍ଣ୍ଣକୁଣ୍ଡଳ, ୩ଟି ସେବତୀ ମାଳି, ବାଘନଖି ମାଳି, ତାବିଜ ମାଳି, ଅଳକା, ତିଳକ, ચନ୍ଦ୍ରିକା, ଓଡ଼ିଆଣୀ, ଘାଗଡ଼ା ମାଳି ଓ ଅଣ୍ଟା ପଟି ଆଦି ଲାଗି ହୋଇଥିଲା। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ୪ଟି ସ୍ୱର୍ଣ୍ଣ ଶ୍ରୀଭୁଜ, ୪ଟି ସ୍ୱର୍ଣ୍ଣ ଶ୍ରୀପୟର, ସ୍ୱର୍ଣ୍ଣ କିଆ, ହରିଡ଼ା କଦମ୍ବ ମାଳି, ୩ଟି କଦମ୍ବ ମାଳି, ୪ଟି ଶ୍ରୀମୁଖ ପଦ୍ମ, ୨ଟି ବାହାଡ଼ା ମାଳି, ଝୋବା, ଆଡକାନି, ତଡ଼ଗି ଏବଂ ଚନ୍ଦ୍ର ସୂର୍ଯ୍ୟ ଆଦି ସ୍ୱର୍ଣ୍ଣାଭୂଷଣରେ ଭୂଷିତ କରାଯାଇଥିଲା। ଏହା ସହିତ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକ ଚୂଳରେ ସୋଲ, ବେତ, କନା ଓ ଜରିରେ ନିର୍ମିତ ସ୍ୱର୍ଣ୍ଣ କିଆ ଖୋସା ଯାଇଥିଲା। ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ କାଷ୍ଠ ନିର୍ମିତ ଗାଈ-ବାଛୁରୀ ଦଣ୍ଡାୟମାନ ରହିଥିଲେ। ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ୱାରା ଏହି ବେଶ ସମ୍ପନ୍ନ ହୋଇଥିଲା। ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବର କନା ଓ ଜରିରେ ତିଆରି ଶିକା ତଳେ ଥିବା ରୂପା ପିଙ୍ଗଣରେ ‘ସର’ ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଶୋଭା ପାଇଥିଲା। ଶ୍ରୀମନ୍ଦିର ମହାଭୋଇ ସେବକମାନେ ପରମ୍ପରା ଅନୁସାରେ ଏହି ସର ଯୋଗାଇଥିବା ବେଳେ ପାଟଯୋଶୀ ମହାପାତ୍ରଙ୍କ ଘରୁ ଆସିଥିବା ସ୍ୱତନ୍ତ୍ର ଖୁଆପେଡା ମାଳି ଠାକୁରମାନଙ୍କୁ ଲାଗି କରାଯାଇଥିଲା। ପୁରାଣ ଓ ପରମ୍ପରା ଅନୁଯାୟୀ, ଶ୍ରୀକୃଷ୍ଣ ଓ ବଳରାମ ଗୋପପୁରରେ ଗାଈ-ବାଛୁରୀ ଗୋଠକୁ ନେଇ ବଣଭୋଜି କରିବାର ବାଲ୍ୟଲୀଳାକୁ ଆଧାର କରି ଶ୍ରୀମନ୍ଦିରରେ ଏହି ବନଭୋଜି ବେଶ ପାଳିତ ହୋଇଥାଏ। ଏହି ବେଶ ମାଧ୍ୟମରେ ଶ୍ରୀଜୀଉମାନେ ବଣଭୋଜି ଉଦ୍ଦେଶ୍ୟରେ ପ୍ରସ୍ଥାନ କରୁଥିବାର ଜୀବନ୍ତ ଦୃଶ୍ୟ ପ୍ରକଟିତ ହୋଇଥାଏ। ଏଥିସହିତ ପୁରୀର ସାହି ପରମ୍ପରା ଅନୁସାରେ ବାଲିସାହି ଯାଗା ଆଖଡ଼ାର ବକାସୁର ନଗର ପରିକ୍ରମା କରି ଶ୍ରୀମନ୍ଦିର ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ସମ୍ପନ୍ନ ହୋଇଥିଲା।


