ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ଅଘଟଣ। ମନମୋହନ ସ୍କୁଲ ନିକଟରେ ଯାଉଥିବା ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ କାରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।
କାରରେ ନିଆଁ ଲାଗିବା ମାତ୍ରେ ଭିତରେ ଥିବା ସମସ୍ତ ଯାତ୍ରୀ ତୁରନ୍ତ କାରରୁ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ଧରଣର ଅଘଟଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯାତ୍ରୀମାନେ ସୁରକ୍ଷିତ ଭାବେ କାରରୁ ବାହାରି ଆସିବା ପରେ ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ କାରଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି।
କାରରେ ନିଆଁ କିପରି ଲାଗିଲା, ସେନେଇ ପ୍ରାଥମିକ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ। ଗାଡ଼ିରେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କାରଣରୁ ନିଆଁ ଲାଗିଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଏହି ଅଗ୍ନିକାଣ୍ଡ ଯୋଗୁଁ ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ରାସ୍ତାରୁ ଗାଡ଼ିଟିକୁ ହଟାଯାଇଥିଲା ଏବଂ ଧୀରେ ଧୀରେ ଯାତାୟାତ ସ୍ୱାଭାବିକ ହୋଇଥିଲା।


