ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି ଲୁହା ରଡ୍ ବୋଝେଇ ଏକ ଟ୍ରକ। ଦୁର୍ଘଟଣାରେ ଟ୍ରକ ଭିତରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଲୁହା ରଡ୍ ବୋଝେଇ ଟ୍ରକଟି ସୁନ୍ଦରଗଡ଼ରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ତେବେ ପାଳଲହଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥର ଯୋଗୀମୁଣ୍ଡା ଛକ ନିକଟରେ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ, ଟ୍ରକର କ୍ୟାବିନ୍ ଭିତରେ ଚାଳକ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣା ପରେ ଯୋଗୀମୁଣ୍ଡା ଛକରେ ଲୋକଙ୍କ ଭିଡ଼ ଜମିଥିଲା। ଚାଳକଙ୍କୁ ଟ୍ରକ ଭିତରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଇଥିଲା। ଦୁର୍ଘଟଣା ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ମଧ୍ୟ ଜଣାପଡ଼ିଛି।
ତେବେ ଟ୍ରକଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।


