Categories
ବିଶେଷ ଖବର

ବାଲେଶ୍ୱର ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଏକ ଭୟଙ୍କର ଦୁର୍ଘଟଣା ଘଟିଗଲା। ମୁଁ ଅସହନୀୟ ବେଦନା ଅନୁଭବ କରୁଛି ଏବଂ ଅନେକ ରାଜ୍ୟର ନାଗରିକ ଏହି ଯାତ୍ରାରେ କିଛି ନା କିଛି ହରାଇଛନ୍ତି। ଯେଉଁ ଲୋକମାନେ ନିଜର ଜୀବନ ହରାଇଛନ୍ତି, ତାହା ଅତି ଯନ୍ତ୍ରଣାଦାୟକ। ସମ୍ବେଦନହୀନ ମନକୁ ମଧ୍ୟ ଏହି ଘଟଣା ବିଚଳିତ କରିଦେବ।

ଯେଉଁ ପରିବାର ଲୋକ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ସରକାର ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସବୁମତେ ଉଦ୍ୟମ କରୁଛନ୍ତି। ଆମେ ଯେଉଁ ପରିଜନଙ୍କୁ ହରାଇଛୁ, ସେମାନଙ୍କୁ ତ’ ଆଉ ଫେରାଇ ଆଣିପାରିବୁ ନାହିଁ। କିନ୍ତୁ, ଏହି ଦୁଃଖଦ ମୁହୂର୍ତ୍ତରେ ସରକାର ସେହି ପରିଜନଙ୍କ ଦୁଃଖର ସହଭାଗୀ ହେବା ଲାଗି ସେମାନଙ୍କ ସହ ଛିଡ଼ା ହୋଇ ରହିଛି। ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି, ସବୁପ୍ରକାରର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ।

ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନର ସବୁ ଅଧିକାରୀମାନେ ଏଭଳି ଏକ ପରିସ୍ଥିତିରେ ନିଜ ପାଖରେ ଯେତିକି ସମ୍ବଳ ରହିଛି ସେଥିରେ ଲୋକମାନଙ୍କୁ ସହାୟତା କରିବା ଲାଗି ଯେପରି ଭାବେ ପ୍ରୟାସ କଲେ ସେଥିପାଇଁ ମୁଁ ପ୍ରଶଂସା କରୁଛି। ଏଠାକାର ନାଗରିକମାନଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି କାରଣ ସେମାନେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ରକ୍ତଦାନ କାର୍ଯ୍ୟ ହେଉ କିମ୍ବା ଉଦ୍ଧାର କାର୍ଯ୍ୟରେ ସହାୟତା, ସବୁଥିରେ ଯଥାସମ୍ଭବ ସହଯୋଗ ପାଇଁ ଚେଷ୍ଟା କରିଛନ୍ତି। ବିଶେଷ କରି ଏହି ଅଞ୍ଚଳର ଯୁବକମାନେ ରାତିସାରା କଠିନ ପରିଶ୍ରମ କରିଛନ୍ତି।

ମୁଁ ଏହି କ୍ଷେତ୍ରର ନାଗରିକମାନଙ୍କୁ ମଧ୍ୟ ଆଦରପୂର୍ବକ ପ୍ରଣାମ ଜଣାଉଛି ଯେ, ସେମାନଙ୍କ ସହଯୋଗ କାରଣରୁ ଅପରେସନ ଦ୍ରୁତ ଗତିରେ ଆଗକୁ ବଢ଼ିପାରିଛି। ରେଳବାଇ ନିଜର ସମ୍ପୂର୍ଣ୍ଣ ଶକ୍ତି, ସବୁ ବ୍ୟବସ୍ଥା ଉଦ୍ଧାର କାର୍ଯ୍ୟରେ ଲଗାଇବା ଏବଂ ଯଥାଶୀଘ୍ର ରେଳଧାରଣା ମରାମତି କରିବା, ଯାତାୟାତ କାମକୁ ଦ୍ରୁତଗତିରେ ପୁଣିଥରେ ସ୍ୱାଭାବିକ କରିବା, ଏହି ତିନୋଟି ଦିଗରୁ ସୁବିଚାରିତ ରୂପରେ ପ୍ରୟାସ ଆଗକୁ ବଢ଼ାଉଛି।

କିନ୍ତୁ ଏହି ଦୁଃଖଦ ମୁହୂର୍ତ୍ତରେ, ମୁଁ ଘଟଣାସ୍ଥଳକୁ ଯାଇ ସବୁକିଛି ଦେଖି ଆସିଛି। ଡାକ୍ତରଖାନାରେ ମଧ୍ୟ ଯେଉଁ ଆହତ ନାଗରିକମାନେ ଥିଲେ, ସେମାନଙ୍କ ସହିତ ମୁଁ କଥା ହୋଇଛି। ସେମାନଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରିବା ଲାଗି ମୋ ପାଖରେ ଶବ୍ଦ ନାହିଁ। କିନ୍ତୁ ପରମାତ୍ମା ଆମ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ, ଆମକୁ ଯଥାଶୀଘ୍ର ଏହି ଦୁଃଖଦ ମୁହୂର୍ତ୍ତରୁ ମୁକ୍ତି ମିଳୁ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଏହି ଘଟଣାରୁ ଆମକୁ ଅନେକ କିଛି ଶିକ୍ଷା ମିଳିବ। ଆମେ ନିଜ ବ୍ୟବସ୍ଥାରେ ନାଗରିକମାନଙ୍କ ସୁରକ୍ଷାକୁ ଆହୁରି ଅଧିକ ପ୍ରାଥମିକତା ଦେଇ ଆଗକୁ ବଢ଼ିପାରିବୁ। ଦୁଃଖର ଏହି ମୁହୂର୍ତ୍ତରେ, ଆମେ ସମସ୍ତେ ଏହି ପରିଜନମାନଙ୍କ ପାଇଁ ପ୍ରାର୍ଥନା କରିବା।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ନାଶିକରେ ଭୟଙ୍କର ଦୁର୍ଘଟଣା: ବସ୍‌ ରେ ଅଗ୍ନିକାଣ୍ଡ ଘଟି ୧୧ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଶିକରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନାଶିକ-ଔରଙ୍ଗାବାଦ ମାର୍ଗରେ ନନ୍ଦୁରନାକା ନାମକ ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅନେକ ଲୋକ ଜଳି ଯାଇଥିବାର ଖବର ରହିଛି। ନାଶିକ ପୋଲିସ ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛି। ଏହି ଦୁର୍ଘଟଣାକୁ ନିଶ୍ଚିତ କରି ଡେପୁଟି କମିଶନର ଅମୋଲ ତାମ୍ବେ କହିଛନ୍ତି ଯେ, ଏଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୧ କୁ ବୃଦ୍ଧି ପାଇଛି।

ନାଶିକ ପୋଲିସ କହିଛି ଯେ ଶୁକ୍ରବାର ରାତିରେ ବସ୍ ଅଗ୍ନିକାଣ୍ଡରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତଦେହ ଏବଂ ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି। ସୂଚନାନୁସାରେ, ବସ୍ ୟଭତମାଲରୁ ମୁମ୍ବାଇ ଯାଉଥିଲା।

ଧୁଲେରୁ ମୁମ୍ବାଇ ଯାଉଥିବା ଟ୍ରେଲରଟି ବସ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଆଠରୁ ଦଶ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସ୍କୁଲ ଟୁରିଷ୍ଟ ବସକୁ ଧକ୍କା ଦେଲା ରାଜ୍ୟ ପରିବହନ ବସ: ୯ ମୃତ, ୪୦ ଆହାତ

ନୂଆଦିଲ୍ଲୀ: କେରଳର ପଲକ୍କଡ ଜିଲ୍ଲାରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପଲକ୍କଡ ଜିଲ୍ଲାର ୱଡକନ୍ଚେରୀରେ ଘଟିଛି। ରାଜ୍ୟ ମନ୍ତ୍ରୀ ଏମ.ବି ବ୍ରଜେଶ କହିଛନ୍ତି ଯେ, ପଲକ୍କଡ ଜିଲ୍ଲାର ୱଡକନ୍ଚେରୀ ଠାରେ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ ଏକ ଟୁରିଷ୍ଟ ବସ୍ ସହିତ ଭୟଙ୍କର ଦୁର୍ଘଟଣା ହୋଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି।

ବୁଧବାର ରାତିରେ ୱଡକନ୍ଚେରୀ ନିକଟ ମଙ୍ଗଲମ୍ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ ପଛରୁ ଏକ କେଏସଆରଟିସି ବସ୍ ଧକ୍କା ମାରିଥିଲା। ଧକ୍କା ହେବା ପରେ ବସଟି ଜଳାଶୟରେ ଖସିପଡିଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ପ୍ରାୟ ୪୦ ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

ବୁଧବାର ରାତି ପ୍ରାୟ ୧୧.୩୦ ସମୟରେ ଜାତୀୟ ରାଜପଥ ୫୪୪ ରେ ଏହି ଦୁର୍ଘଟଣା ଘଟିଛି। ଏହି ଟୁରିଷ୍ଟ ବସ୍ ଏର୍ନାକୁଲମର ବେସିଲିଓସ୍ ବିଦ୍ୟାନିକେତନ ସିନିୟର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଓଟି ଆଡକୁ ଯାଉଥିଲା। KSRTC ସୁପରଫାଷ୍ଟ ବସ୍ କୋଟାର୍କକାରାରୁ କୋଏମ୍ବାଟୁର ଯାଉଥିଲା। ଉଭୟଙ୍କ ଧକ୍କା ହେତୁ ଏହି ଦୁର୍ଘଟଣା ଘଟିଛି।

Categories
ଆଜିର ଖବର ଜାତୀୟ ଖବର

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ୭ ଯାତ୍ରୀଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାର ଯମୁନା ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୱାଗନ୍ ଆର କାର ଏବଂ ଏକ ଅଜ୍ଞାତ ଗାଡି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। କାରକୁ ଅଜ୍ଞାତ ଗାଡିଟି ଧକ୍କା ଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଦୁର୍ଘଟଣା ସମୟରେ କାରରେ ୯ ଜଣ ଲୋକ ଥିଲେ। ଏଥିମଧ୍ୟରେ ୩ ମହିଳା, ୪ ପୁରୁଷ ଏବଂ ୨ ଜଣ ପିଲା ଯାତ୍ରା କରୁଥିଲେ। ଯେତେବେଳେ ୱାଗନ୍ ଆରରେ ଥିବା ସମସ୍ତ ଲୋକ ଆଗ୍ରା ଠାରୁ ନୋଏଡା ଯାଉଥିଲେ, ସେତେବେଳେ ଏହି ଦୁର୍ଘଟଣା ନୋହଝୀଲ ଥାନା ଅଞ୍ଚଳର ମାଇଲ ଷ୍ଟୋନ ୬୮ ରେ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୫୦୦ ଫୁଟ ତଳକୁ ଖସିଲା କାର: ଟାଙ୍ଗୀ ଅଞ୍ଚଳର ୫ ଗୁରୁତର

ନୟାଗଡ/ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଣିନାଗ ପାହାଡରୁ ଗୋଟିଏ କାର୍ ଖସିପଡିଛି। ପ୍ରାୟ ୫୦୦ ଫୁଟ ତଳକୁ କାର୍ ଟି ଖସିପଡିଛି। ଫଳରେ ଗୋଟିଏ ପରିବାରର ୫ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର ଏକ ପରିବାର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ କାର୍ ଯୋଗେ ଯାଇଥିଲେ। ପରିବାରର ସମସ୍ତ ସଦସ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମଣିନାଗ ଦର୍ଶନ କରି ଫେରୁଥିଲେ। ମା’ ମଣିନାଗ ପାହାଡରୁ ପାହାଡ ପାଦ ତଳ ପର୍ଯ୍ୟନ୍ତ ପ୍ରାୟ ୫ କିଲୋ ମିଟର ଲମ୍ବର ବୁଲାଣୀ ରାସ୍ତା। ରାସ୍ତାଟି ବୁଲାଣି ହୋଇଥିବାରୁ କାର୍ ଚଳାଇବା ବେଳେ ଚାଳକମାନଙ୍କୁ ସତର୍କତାର ସହ ଚାଳନା କରିବା ପାଇଁ ପଡିଥାଏ।

କିନ୍ତୁ ଦୁର୍ଭାଗ୍ୟବଶତଃ କାରଟି ଭାରସାମ୍ୟ ହରାଇ ମା’ ମଣିନାଗ ପୀଠରୁ ୫୦୦ ଫୁଟ ତଳକୁ ଖସିପଡିଥିଲା। ଫଳରେ ୫ ଯାତ୍ରୀ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।