ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ଆଇନଗତ ଅଡ଼ୁଆ ବଢ଼ିବାରେ ଲାଗିଛି। ଏକ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଅପମାନଜନକ ଓ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ୍ ମାନହାନି ମାମଲା ରୁଜୁ ହୋଇଛି। ପ୍ରସିଦ୍ଧ ବିମାନ ଚଳାଚଳ କମ୍ପାନୀ ‘ଡ୍ୟୁନ୍ସ ଏଭିଏସନ୍’ ପକ୍ଷରୁ ଗୁଜରାଟର ଗାନ୍ଧୀନଗର କୋର୍ଟରେ ଏହି ଆବେଦନ କରାଯାଇଛି।
ଗତ ବର୍ଷ ଡିସେମ୍ବରରେ ନୋରା ମୁମ୍ବାଇରୁ ଜୟପୁର ଗସ୍ତ କରିବା ସମୟରେ ‘ସେସ୍ନା ସାଇଟେସନ୍ CJ2’ ନାମକ ଚାର୍ଟାର୍ଡ ବିମାନରେ କିଛି ଭିଡିଓ ରେକର୍ଡ କରିଥିଲେ। ପରେ ନିଜର ୪ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର ଥିବା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେହି ଭିଡିଓ ପୋଷ୍ଟ କରି ବିମାନଟିକୁ ‘ଖେଳନା ବିମାନ’ (ଟୟ ପ୍ଲେନ୍), ‘ଲେଗୋ ବିମାନ’ ଓ ‘ଛୋଟ ବିମାନ’ ବୋଲି ସମ୍ବୋଧନ କରିଥିଲେ।
କମ୍ପାନୀ ପକ୍ଷରୁ ଦର୍ଶାଯାଇଛି ଯେ, ନୋରାଙ୍କ ଏହି ମିଥ୍ୟା ବକ୍ତବ୍ୟ ଯୋଗୁଁ ସେମାନଙ୍କ ବ୍ୟବସାୟିକ ସୁନାମ ଗୁରୁତର ଭାବେ କ୍ଷୁଣ୍ଣ ହୋଇଛି। ଏହାଯୋଗୁଁ ସେମାନଙ୍କ ଗ୍ରାହକ ବୁକିଂ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇବା ସହ ଅନେକ ପୂର୍ବ ବୁକିଂ ବାତିଲ ହୋଇଛି। ତେବେ ସମ୍ପୃକ୍ତ ବିମାନଟି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିମାନ ଚଳାଚଳ ନିୟାମକ ପ୍ରାଧିକରଣ (ଡିଜିସିଏ) ଦ୍ୱାରା ଅନୁମୋଦିତ ବୋଲି କମ୍ପାନୀ ସ୍ପଷ୍ଟ କରିଛି।
କମ୍ପାନୀ କୋର୍ଟଙ୍କ ନିକଟରେ ୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିବା ସହ ସୋସିଆଲ ମିଡିଆରୁ ଆପତ୍ତିଜନକ ଭିଡିଓ ହଟାଇବା ଓ ସର୍ବସାଧାରଣରେ ନୋରା ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି। ଗାନ୍ଧୀନଗରର ସିନିୟର ସିଭିଲ୍ ଜଜ୍ ଆର. ଅଗ୍ରୱାଲଙ୍କ କୋର୍ଟରେ ଏହି ହାଇପ୍ରୋଫାଇଲ୍ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଧାର୍ଯ୍ୟ କରାଯାଇଛି।


