କେନ୍ଦୁଝର: ଧାନ ବିଲରେ ଚାଷୀଙ୍କୁ ଦଳିଦେଲା ଦନ୍ତାହାତୀ। ଫସଲ ଖାଉଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି। ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବସିରା ଗାଁର ଚତୁରୀ ସାହିରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଚାଷୀ ହେଲେ ୪୮ ବର୍ଷୀୟ ବିଶ୍ୱନାଥ ମହାନ୍ତ।
ସୂଚନା ଅନୁଯାୟୀ, ପ୍ରାୟ ୨୫ ଟିକିଆ ହାତୀପଲ ଗତ ଦୁଇ ଦିନ ହେଲା କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି। ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଆଖପାଖ ଅଞ୍ଚଳରେ ପଶି ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।
ଆଜି ବିଶ୍ୱନାଥଙ୍କ ଧାନ ବିଲରେ ମଧ୍ୟ ହାତୀପଲ ପଶି ଧାନ ଖାଉଥିଲେ। ନିଜ ଫସଲକୁ ହାତୀଙ୍କ କବଳରୁ ରକ୍ଷା କରିବାକୁ ବିଶ୍ୱନାଥ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ।
ହାତୀଙ୍କୁ ଘଉଡ଼ାଇବା ସମୟରେ ହଠାତ୍ ଏକ ଦନ୍ତାହାତୀ ବିଶ୍ୱନାଥଙ୍କ ଆଡ଼କୁ ମାଡ଼ି ଆସିଥିଲା। ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ବସିରା ଓ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ହାତୀପଲ ଏବେ ବି ଅଞ୍ଚଳରେ ଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି।
ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି। ହାତୀପଲକୁ ମାନବବସତିଠାରୁ ଦୂରେଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ତେବେ ହାତୀପଲ ଯୋଗୁଁ ଧାନ ଫସଲ ନଷ୍ଟ ହେବା ସହ ଜଣେ ଚାଷୀଙ୍କ ଜୀବନ ଯିବା ଘଟଣା ଅଞ୍ଚଳରେ ମଣିଷ-ହାତୀ ସଂଘର୍ଷର ଗମ୍ଭୀରତାକୁ ପୁଣିଥରେ ସାମ୍ନାକୁ ଆଣିଛି।


