ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣାକୁ ଗମ୍ଭୀରତାର ସହ ନେଇ ବିଏମ୍ସି ଓ ବିଡିଏ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାସ୍ତା କଡ଼ରେ ଗଢ଼ିଉଠିଥିବା ଜବରଦଖଲ ଓ ଅମାନିଆ ଦୋକାନଗୁଡ଼ିକ ଉପରେ ଆଜି ବୁଲ୍ଡୋଜର୍ ଚାଲିଛି।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ବେଆଇନ ଭାବେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ପୂର୍ବରୁ ଅନ୍ୟତ୍ର ବିକଳ୍ପ ସ୍ଥାନ ଯୋଗାଇ ଦିଆଯାଇଥିଲା। ତଥାପି ସ୍ଥାନ ନଛାଡ଼ି ବ୍ୟବସାୟ ଜାରି ରଖିଥିବାରୁ ଏବଂ ଗୁରୁବାର ସେମାନଙ୍କୁ ସ୍ୱତନ୍ତ୍ର ନୋଟିସ୍ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଭଙ୍ଗାରୁଜା ଓ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି।
ଅପରପକ୍ଷରେ, ମାତ୍ର ଗୋଟିଏ ଦିନ ପୂର୍ବରୁ ନୋଟିସ୍ ଦେଇ ହଠାତ୍ ଦୋକାନ ଭାଙ୍ଗି ଦିଆଯାଉଥିବା ଅଭିଯୋଗ କରି ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଚ୍ଛେଦ ସମୟରେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।


