ନିମାପଡ଼ା: ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ ଅଭିଯୋଗ। ଅତ୍ୟଧିକ ମଦ୍ୟପାନ କରି ଜଣେ ଯୁବକ ହାତରେ ଖଣ୍ଡା ଧରି ଗାଁରେ ବୁଲିବା ସହ ୩ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି।
ସୂଚନା ଅନୁଯାୟୀ, ନିମାପଡ଼ା ଥାନା ଅଧୀନ ସଗଡ଼ା ପଞ୍ଚାୟତର ଆଙ୍କୁସୁପୁର ଗାଁର ଅମୂଲ୍ୟ ପ୍ରଧାନ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ଅତ୍ୟଧିକ ମଦ୍ୟପାନ କରି ହାତରେ ଖଣ୍ଡା ଧରି ଗାଁରେ ବୁଲୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଲୋକଙ୍କୁ ଆକ୍ରମଣ କରିଥିବା କୁହାଯାଇଛି।
ପରେ ଅମୂଲ୍ୟ ଗାଁର ଅଜୟ କୁମାର ସ୍ୱାଇଁଙ୍କ ଦୋକାନକୁ ଯାଇ କିଛି ଜିନିଷ ମାଗିଥିଲେ। ଅଜୟ ଜିନିଷ ଦେବାକୁ ମନା କରିବାରୁ ସେ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି।
ଘଟଣାସ୍ଥଳରେ ଥିବା ଦୁଇ ବରିଷ୍ଠ ନାଗରିକ ଗଦାଧର ବେହେରା ଓ ପଦ୍ମନାଭ ପ୍ରଧାନ ପରିସ୍ଥିତି ଶାନ୍ତ କରିବାକୁ ବୁଝାସୁଝା କରିଥିଲେ। ତେବେ ଅଭିଯୋଗ ଅନୁସାରେ, ଯୁବକ ଜଣକ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି।
ଆକ୍ରମଣରେ ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଆଧାରରେ ନିମାପଡ଼ା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟେ, ଗାଁ ଦାଣ୍ଡରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି ଘଟଣାକୁ ନେଇ ଆଙ୍କୁସୁପୁର ଗାଁରେ ଭୟର ମାହୋଲ ସୃଷ୍ଟି ହୋଇଛି।


