ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫୦ ବର୍ଷର ନିରବଚ୍ଛିନ୍ନ ସେବା ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷର ନେତୃତ୍ୱକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ସେବା ସଂକଳ୍ପ ଅଭିଯାନ’। ଏହି ଅବସରରେ ରାଜ୍ୟସାରା ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ମାସବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ‘ସେବା ଜ୍ୟୋତି ଯାତ୍ରା’, ‘ନମୋ ସେବା ଗାଥା’, ‘ସ୍ୱପ୍ନର ଭାରତ’, ‘ପରିବର୍ତ୍ତନର କାହାଣୀ’ ଏବଂ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ସହିତ ରାଜ୍ୟବ୍ୟାପୀ ବ୍ୟାପକ ବୃକ୍ଷରୋପଣ ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରରେ ସକାଳ କିମ୍ବା ସନ୍ଧ୍ୟାରେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଗୋଟିଏ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି। ବିଶେଷ କରି ସରକାରୀ ଯୋଜନାର ହିତାଧିକାରୀମାନେ ଶୁଭେଚ୍ଛା ବାର୍ତ୍ତା ସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ମହାନ୍ ପ୍ରୟାସ ଦେଶର ବିକାଶ ଯାତ୍ରାକୁ ଆହୁରି ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।


