ହିଞ୍ଜିଳିକାଟୁ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଅଘଟଣ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ଜଣ ନାବାଳକ ଛାତ୍ରଙ୍କର ପ୍ରାଣହାନି ଘଟିଛି। ମୃତ ଛାତ୍ର ଦ୍ବୟ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗର ଆଦର୍ଶ ସାହୁ (୧୪) ଏବଂ ଗାୟତ୍ରୀ ନଗରର ପ୍ରିତମ ସାମେଲି (୧୪)। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଘରୋଇ କୋଚିଂ ସେଣ୍ଟରରୁ ପ୍ରାୟ ୧୦ ରୁ ୧୨ ଜଣ ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନିକଟସ୍ଥ ଘୋଡ଼ାହାଡ଼ ନଦୀକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ର ପାଣିକୁ ଓହ୍ଲାଇଥିବା ବେଳେ ଅସାବଧାନତା ବଶତଃ ଆଦର୍ଶ ଓ ପ୍ରିତମ ଗଭୀର ପାଣି ଆଡ଼କୁ ଚାଲିଯାଇ ବୁଡ଼ି ଯାଇଥିଲେ।
ଅନ୍ୟ ସାଥୀମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ନଦୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ, ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।


