ୱାଶିଂଟନ୍ : ବିଶ୍ୱର ଅନ୍ୟତମ ବୃହତ୍ ସୋସିଆଲ ମିଡିଆ କମ୍ପାନୀ ‘ମେଟା’ର ପ୍ରମୁଖ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ସେବା ରବିବାର ସନ୍ଧ୍ୟାରେ ହଠାତ୍ ବ୍ୟାଘାତପ୍ରାପ୍ତ ହୋଇଛି। ଆମେରିକାରେ ସେବା ବନ୍ଦ ଯୋଗୁଁ ହଜାର ହଜାର ବ୍ୟବହାରକାରୀ ଏହି ଦୁଇଟି ଆପ୍ ବ୍ୟବହାର କରିବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେବା ବାଧାପ୍ରାପ୍ତ ଉପରେ ନଜର ରଖୁଥିବା ପ୍ରସିଦ୍ଧ ୱେବସାଇଟ୍ ଡାଉନ୍ଡିଟେକ୍ଟର୍ ର ରିପୋର୍ଟ ଅନୁଯାୟୀ, ରବିବାର ରାତି ପ୍ରାୟ ୯:୧୧ସୁଦ୍ଧା ଫେସବୁକ୍ କାମ କରୁନଥିବା ନେଇ ୧୭,୦୦୦ରୁ ଅଧିକ ବ୍ୟବହାରକାରୀ ଅଭିଯୋଗ କରିଥିଲେ। ସେହିପରି ଇନ୍ଷ୍ଟାଗ୍ରାମ୍ରେ ସମସ୍ୟା ଦେଖାଦେଇଥିବା ନେଇ ୫,୦୦୦ରୁ ଊର୍ଦ୍ଧ୍ୱ ୟୁଜର୍ସ ରିପୋର୍ଟ ଦାଖଲ କରିଥିଲେ। ଡାଉନ୍ଡିଟେକ୍ଟର୍ ବିଭିନ୍ନ ସୂତ୍ରରୁ ଏବଂ ବ୍ୟବହାରକାରୀଙ୍କ ଅଭିଯୋଗ ଆଧାରରେ ଏହି ତଥ୍ୟ ଆକଳନ କରୁଥିବାରୁ, ପ୍ରକୃତରେ କେତେ ସଂଖ୍ୟାକ ଲୋକ ପ୍ରଭାବିତ ହୋଇଛନ୍ତି ତାହାର ସ୍ପଷ୍ଟ ସଂଖ୍ୟା ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି ସେବା ବ୍ୟାଘାତର ମୁଖ୍ୟ କାରଣ କ’ଣ ଏବଂ ସର୍ଭର କେଉଁ ବୈଷୟିକ ତ୍ରୁଟି ଯୋଗୁଁ ଡାଉନ୍ ହେଲା, ସେ ନେଇ ‘ମେଟା’ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହାଛଡ଼ା ଆମେରିକା ବାହାରେ ବିଶ୍ୱର ଅନ୍ୟ କେଉଁ କେଉଁ ଦେଶରେ ଏହି ସମସ୍ୟା ବ୍ୟାପିଛି, ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।


