ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଗୃହ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବିରୋଧୀଙ୍କ ପ୍ରଶ୍ନ ଓ ଆଲୋଚନା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ, ବିଧାନସଭାକୁ କମ୍ପାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଣ୍ଟା ଭିଡ଼ିଥିବା ବେଳେ ଏହାର ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ସନ୍ଧ୍ୟା ୫ଟାରେ ବିଜେଡି ଏବଂ ଅପରାହ୍ନରେ ବିଜେପି ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ରଣନୀତି ବୈଠକ ବସିବ। ସେହିପରି ଆସନ୍ତାକାଲି ସକାଳେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ମୌସୁମୀ ଅଧିବେଶନରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ (ଏମଏମଡିଆର) ଆଇନ ମୁଖ୍ୟ ମୁଦ୍ଦା ପାଲଟିବ। ଏହା ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁସ୍ତକ ମୁଦ୍ରଣରେ ହୋଇଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଧାନସଭା ପରିସରକୁ କଡ଼ା ପୋଲିସ ପହରା ମଧ୍ୟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୫୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।


