ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ର ତାଳପଦା ସମୁଦ୍ର ବେଳାଭୂମି କୂଳରୁ ଆଜି ବନ ବିଭାଗ ପକ୍ଷରୁ ଗୋଟିଏ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ବୁଧବାର ସକାଳେ ତାଳପଦା ସମୁଦ୍ର ବେଳାଭୂମି କୂଳରେ ଏକ ୪ ଫୁଟ୍ର ମୃତ ଡଲଫିନ୍ ପଡ଼ିଥିବା ବେଳେ ତାଳପଦା ଗ୍ରାମବାସୀ ଓ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ସେମାନେ ଏ ନେଇ ସରପଞ୍ଚ ହରେନ୍ଦ୍ର ମଲ୍ଲିକଙ୍କୁ ଖବର ଦେଇଥିଲେ। ଖବର ପାଇ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତ ଡଲଫିନ୍ ଦେଖି ବନ ବିଭାଗ କର୍ମଚାରୀମାନଙ୍କୁ ଜଣାଇଥିଲେ। ଖବର ପାଇ ବନ ବିଭାଗର ଫରେଷ୍ଟର ମଞ୍ଜୁଲତା ପ୍ରଧାନ, ଗାର୍ଡ ଜ୍ୟୋତ୍ସ୍ନା ଦତ୍ତ, ବନ କର୍ମଚାରୀ ରାଜେଶ ମହାରଣା ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନ୍କୁ ଉଦ୍ଧାର କରିଥିଲେ। ପରେ ସରକାରୀ ନୀତିନିୟମ ଅନୁସାରେ ଗୋପାଳପୁର ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ବାଲେଶ୍ୱର ଚାନ୍ଦିପୁର କାର୍ଯ୍ୟାଳୟକୁ ନେଇ ସରକାରୀ ନିୟମ ଅନୁଯାୟୀ ମୃତ ଡଲଫିନ୍କୁ ପୋତାଯାଇଥିଲା।


